STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଛାନ୍ଦ - କି ନାମ ବୋଇଲୁ ତୁହି ଗୋ

ଛାନ୍ଦ - କି ନାମ ବୋଇଲୁ ତୁହି ଗୋ

1 min
6.9K


କବି - ଗୋପାଳକୃଷ୍ଣ ପଟ୍ଟନାୟକ


ରାଧା ପଚାରନ୍ତି ସଙ୍ଗାତରେ

କେ ସେ ବ୍ରଜରାଜ ସୁତ ।

ଲଳିତା କହନ୍ତି ମିତଣିରେ

ମୋହ ହୋଇଗଲୁ ସେଦିନ ଶୁଣି ତୁ

ଯାହାର ମୁରଲୀ ଗୀତରେ । ପ୍ରାଣମିତ ।

କି ନାମ ବୋଇଲୁ ତୁହି ।

ପୁଣି ଶୁଣିବାକୁ ଚିତ୍ତ ବଳିଲାକି

କୃଷ୍ଣ ବୋଲି ଥିଲି କହିରେ । ପ୍ରାଣମିତ ।

କେ ଚିତ୍ର ପଟର ଯୁବା ।

କୃଷ୍ଣ ବୈତାଳିକ ତିନିଜଣ ଯାକ

ଏକ ତରିଣ ମଘବାରେ । ପ୍ରାଣମିତ ।

ବୟସ କେତେ ତାଙ୍କର ।

ନବ ତରୁଣ ମନମଥ ବୟସ

ହୋଇଥିବ ବାର ତେର ରେ । ପ୍ରାଣମିତ ।

କେଡ଼େ ଭଳି ଉଚ୍ଚ ହେବେ ।

ତୁ ତାଙ୍କ ଶ୍ରୁତିତଟକୁ ସରିହେବୁ

ଅନୁମାନୁଛି ମୁଁ ଏବେ ରେ । ପ୍ରାଣମିତ ।

ମୋ ଆଡ଼କୁ କେଣେ ଢାଳୁ ।

ଯଥା ଯୋଗ୍ୟ ବୋଲି ମନେ ଲୋଭାଇଲା

କଥାକୁ କାହିଁକି ଚଳୁରେ । ପ୍ରାଣମିତ ।

ଶ୍ରୀଅଙ୍ଗ କାନ୍ତି କିପରି ।

ମଜା ଇନ୍ଦ୍ରନୀଳମଣି ଦରପଣ

ପରି ଦିଶୁଛି ମାଧୁରୀ ରେ । ପ୍ରାଣମିତ ।

କୃଶ ନା ପୃଥୁଳ ତନୁ ।

ଦେଖାଇ ଦେବି ରହିଁଥାଅ ଆସିବେ

ଏବେ ତ ଲେଉଟି ବନୁ ରେ । ପ୍ରାଣମିତ ।

<

p>ମୁଖ ସୁଷମା କେମନ୍ତ ।

ଲାବଣ୍ୟାମ୍ବଧି ସମ୍ଭବ ବିଧୁପରି

ଅଳକା ବଳି ଆବୃତ ରେ । ପ୍ରାଣମିତ ।

ଚିକୁର ଓଘ ମଞ୍ଜୁଳ ।

କାଳନ୍ଦୀ ଜଳ କଲ୍ଲୋଳ ପରି ଦିଶେ

କଳାକୁ ଉଣା କଜ୍ଜଳ ରେ । ପ୍ରାଣମିତ ।

ଲଲାଟ ପଟର ଝଳି ।

ତିଳକ ଘେନି ହେବା ଚାହିଁ ରମାର

ଧୃତିମେରୁ ଯିବ ଟଳି ରେ । ପ୍ରାଣମିତ ।

ଘେନିବାର କି ତିଳକ ।

ଚନ୍ଦନ ବିନ୍ଦୁ କେଶେ ଗୋରଚନାର

ଚିତା ଯେମନ୍ତେ ସାୟକ ରେ । ପ୍ରାଣମିତ ।

ଭୂରୁ ବିଲାପ କିଦୃଶ ।

କଳାଭୁଜଙ୍ଗ ଶାବକ ଖେଳା ପରି

ସ୍ୱଚ୍ଛେ ହୋଇଛି ପ୍ରକାଶ ରେ । ପ୍ରାଣମିତ ।

ହୋଇଛି ସେ କି ଆକୃତି ।

ଖଣ୍ଡ ପରଶୁ ଭଗ୍ନ କୋଦଣ୍ଡ ବେନି

ଖଞ୍ଜ ହୋଇଛି ତ ସ୍ଫୁର୍ତ୍ତି ରେ । ପ୍ରାଣମିତ ।

ଭାଷ ଇକ୍ଷଣର ରୀତି ।

ଦର କଷାୟିତ ଲୋଳ ଆଘୁର୍ଣ୍ଣିତ

ଶ୍ରୁତି ତବ ଯାଏ ଗତିରେ । ପ୍ରାଣମିତ ।

କିପରି ଚାହାଁଣି ଆଣି ।

ପ୍ରମତ୍ତ ନଟ ଖଞ୍ଜରୀଟ ଶୋଭାକୁ

ଇଷିତରେ ଦେବ ଜିଣିରେ । ପ୍ରାଣମିତ ।

କଟାକ୍ଷ ପ୍ରାନ୍ତ କେମନ୍ତ ।

ଜଗଜ୍ଜୟ ମନ ମଥୁର ନିଶିତ

ବରିଛି ମୁନ ଯେମନ୍ତରେ । ପ୍ରାଣମିତ ।


Rate this content
Log in

Similar oriya poem from Classics