ଛାଇ ଆଲୁଅ ଖେଳ
ଛାଇ ଆଲୁଅ ଖେଳ


ଜୀବନ ଖେଳୁଛି ଛାଇ ଆଲୁଅ ଖେଳ
କେବେ ସୁଖ କେବେ ଦୁଃଖର
କେବେ ସାଉଁଟେ ଖୁସି ମୁହୂର୍ତ୍ତକୁ ସବୁ
କେବେ ମାଡିଆସେ ଦୁଃଖ ଜୁଆର ।
ଜୀବନର ପଶାପାଲି ଖେଳ ଭିତରେ
ବାଜି ଲାଗିଛି ସମୟ ଆୟୁଷ
ଜିତିବାର ବାଟ ନାହିଁ ତାହା ସଙ୍ଗେ
ତଥାପି ଗୋଟାଏ ବଞ୍ଚିବା ସାହାସ ।
ଏନ୍ତୁଡି ଶାଳରୁ ଜୀବନ ଆରମ୍ଭ ହୁଏ
ସରିଯାଏ ମଶାଣି ଭୁଇଁରେ
ବାକି ଜୀବନ ହନ୍ତସନ୍ତ ହୁଏ ପଡି
ମିଛ ମୋହ ମାୟା ସଂସାରେ ।
ଏଇତ ଜୀବନ ଅଢେଇ ଅକ୍ଷର
ଜିଇଁବାକୁ ସମୟ ନଥାଏ
ବଞ୍ଚିବାର ମିଛ ଅଭିନୟ କରିବା ପଛରେ
କାଳ ଜଗି ବସିଥାଏ ।
ନିଜେ ଜଳି ଜଳି ଅରଜିଲୁ ଯାହା
ସୁଖ ପାଇଁ ଧନ ସମ୍ପତ୍ତି
ମରିଗଲା ପରେ କାମରେ ଆସେନି
କେବଳ ତାହା ମୃତ୍ୟୁ ବିପତ୍ତି ।
ମିଛ ଗର୍ବ ଅହଙ୍କାର କରୁ ଦେଖାଇ ସଭିଙ୍କୁ
ନିଜ କଙ୍କାଳ ଛାତି
କେତେ ଅନ୍ୟାୟ ଅବିଚାର କରିଛୁ ଜୀବନେ
ନିଜ ବିବେକ ତାହାର ସାକ୍ଷୀ ।
ସମୟ ସରିବା ଆଗରୁ ସଜାଗ ହୁଅରେ
ଆରେ ମୂଢ ପାପି ଗଣ
ଆୟୁଷ ସରିଲେ ସାଥିରେ କେହି ନ ରହିବେ
ରହିବନି ତୁମ ପଣ ।