ଚଗଲା ବୁବୁଲା ବୁଝିଲା
ଚଗଲା ବୁବୁଲା ବୁଝିଲା
ଏ ବରଷ ଯେଉଁ ଦୀପାଳି ଗଲା,
ଶୁଣିଥାଅ ପିଲେ, କଅଣ ହେଲା ।
କୁନି ପିଲାଟିଏ ନାଆଁ ବୁବୁଲା,
ପାଠ ପଢ଼େ ନାହିଁ ହୁଏ ଚଗଲା ।
ଆଣିଥିଲା କିଣି ବଢ଼ିଆ ବାଣ,
ଫୁଟାଇଲା ତାହା କେମିତି ଶୁଣ ।
ଆମ କୁକୁରଟା ନିପଟ ହୁଣ୍ଡା,
ଭାରି ଅଳସୁଆ, ଡାକ ନାଁ ଧୁଣ୍ଡା ।
ବୁବୁଲା ଆଣିଲା ମୁଢ଼ି଼ରୁ ଗଣ୍ଡେ,
ଥୋଇ ଦେଲା ତାହା କୁକୁର ତୁଣ୍ଡେ ।
କୁକୁର ଖାଇଲା ଚାକୁଲୁ ଚାକୁ,
ଆଣିଲା ବୁବୁଲା ଝରଝରିକୁ ।
ଧୁଣ୍ଡା ଲାଙ୍ଗୁଡ଼ରେ ତାହାକୁ ବାନ୍ଧି,
ନିଆଁ ଧରେଇଲା କରିକି ଫନ୍ଦି ।
ଝରଝରି ହେଲା ସଅର ସର,
କୁକୁର ଧାଇଁଲା ଖଅରଖର ।
ଧୁଣ୍ଡାଟା ଶେଷକୁ ହାଲିଆ ହୋଇ,
ପଶିଗଲା ପାଳ ଗଦାରେ ଯାଇ ।
ଲାଙ୍ଗୁଡ଼ରୁ ତହିଁ ଲାଗିଲା ନିଆଁ,
କୁକୁର ସେଇଠୁ ମାରିଲା ଡିଆଁ ।
ଗାଆଁ ଶେଷମୁଣ୍ଡ ପୋଖରୀ ଜଳେ,
ପଶିଗଲା ଧୁଣ୍ଡା ପ୍ରାଣ ବିକଳେ ।
ଇଆଡ଼େ ପାଳରେ ଲାଗିଛି ନିଆଁ,
ଉପରକୁ ଉଠେ ପ୍ରଚୁର ଧୁଆଁ ।
ଗାଆଁ ଲୋକ ଦେଖି ଆସିଲେ ଧାଇଁ,
ନିଆଁ ଲିଭେଇଲେ ପାଣି ପକେଇ ।
ଏଥରକ କଥା ତଲାସ ହେଲା,
କେମିତି ପାଳରେ ନିଆଁ ଲାଗିଲା ।
ଦେଖିଥିଲା ମିଲି ଏ ସବୁ ପାଲା,
ସବୁରି ମୂଳରେ ଏଇ ବୁବୁଲା ।
ବାପା ଗରଜିଲେ ଦାନ୍ତ ରଗଡ଼ି,
ହାତରେ ଧରିଲେ ପାଞ୍ଚଣ ବାଡ଼ି ।
ବୁବୁଲାକୁ ଧରି ଛେଚିଲେ ମାଡ଼,
କହିଲେ, "ଭାଙ୍ଗିବି ଆଜି ତୋ ହାଡ଼ ।"
ପିଠିରେ ଯେମିତି ବସିଲା ନୋଳା,
ସକେଇ ସକେଇ ଶୁଖିଲା ଗଳା ।
ମଜା ଦେଖୁ ଦେଖୁ ଏଭଳି କାଣ୍ଡ,
ଘଟିବ, ନ ଭାବି ଭୋଗିଲା ଦଣ୍ଡ ।
ବୁବୁଲା ଆଖିରୁ ପୋଛିଲା ଲୁହ,
କହିଲା ଏଥର ସମ୍ଭାଳି କୋହ ।
"ଆଜିଠାରୁ କାନ ହେଉଛି ମୋଡ଼ି,
ଏ ଚଗଲା ବୁଦ୍ଧି ଦେବାକୁ ଛାଡ଼ି ।
ଦୁର୍ବଦ୍ଧି ମୋହର ହୋଇଲା ନାଶ,
ହେବି ଦିନେ ନିଶ୍ଚେ ଭଲ ମଣିଷ ।"
