ଚେନାଏ ହସ
ଚେନାଏ ହସ
ସୁବିସ୍ତୃତ ଏଇ ସୋରିଷ କ୍ଷେତର
ହଳଦୀ ରଙ୍ଗର ଶୋଭା
ଆଖି ଲାଖିଯାଏ ଦେଖିଦେଲେ ଥରେ
ରୂପ ତାର ମନଲୋଭା I
ତୁମେ ପାଖେଥିଲେ ଆଖି ଲମ୍ବିଯାଏ
ଦୂର ଚକ୍ରବାଳ ଯାଏ
ଯେଉଁଠି ଆକାଶ ଅତି ସରାଗରେ
ପୃଥିବୀକୁ ଚୁମୁଥାଏ I
ପ୍ରୀତିର ସୋହାଗ କେତେ ଅନୁପମ
ଅନୁଭବି ଏକା ଜାଣେ
ତୁମେ ହସିଦେଲେ ଫୁଲ ଫୁଟିଯାଏ
ପୃଥିବୀର କୋଣେ କୋଣେ I
ସୋରିଷ କ୍ଷେତର ପିଆଲାରେ ଭରି
ପ୍ରୀତିଭରା ସୋମରସ
ଯେତେବେଳେ ମୋର ଓଠରେ ଛୁଆଁଅ
ତୁମ ଓଠେଥାଏ ହସ I
ତୁମରି ଓଠର ସରୁ ହସଧାର
ସାତରଙ୍ଗ ବୁଣିଦିଏ
ମାତାଲ ହୁଏ ମୁଁ ତୁମ ପାଇଁ ପ୍ରିୟା
ତୁମହସେ ହଜିଯାଏ I