Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଚାପରେ ମଧୁସୂଦନ (ଚନ୍ଦନ ଯାତ୍ରା)

ଚାପରେ ମଧୁସୂଦନ (ଚନ୍ଦନ ଯାତ୍ରା)

3 mins
8



ଦୋଳରେତ ଦୋଳଗୋବିନ୍ଦ ରଥେ ପ୍ରଭୁ ବାମନ

ମୋକ୍ଷ ହୁଏ ଆତ୍ମା ଚାପରେ ଦେଖି ମଧୁସୂଦନ।

ବୈଶାଖ ମାସରେ ଚନ୍ଦନ ପ୍ରଭୁ ଚାପ ଖେଳନ୍ତି

ନଉକାରେ ବସି ନରେନ୍ଦ୍ରେ ନାବ କେଳି କରନ୍ତି।

ଅକ୍ଷି ତୃତୀୟା ରୁ ଆରମ୍ଭ ଏହି ଚନ୍ଦନ ଯାତ

ନରେନ୍ଦ୍ର କୂଳରେ ନିଇତି ଭିଡ଼ ଲଗାନ୍ତି ଭକ୍ତ।


ଚନ୍ଦନ ବଖାଣେ ଦ୍ବାପର ଯୁଗର ସେ କାହାଣୀ 

ବିରାଟ ଉଆସେ ପାଣ୍ଡବ ଛଦ୍ମବେଶେ ରହଣି।

ଗୁପ୍ତ ବନବାସ କାଳରେ ନାନା ବେଶ ଯେ ହୋଇ

ବିରାଟ ରାଜାଙ୍କ ଉଆସେ ଥିଲେ ପାଣ୍ଡବେ ରହି ।

ନାମ ଭିନ୍ନ କାମ ଭିନ୍ନ ଯେ ଭିନ୍ନ ବେଶ ସକଳ

ଛଦ୍ମ ବେଶେ ତହିଁ କଟିଲା ତାଙ୍କ ବରଷେ କାଳ।


ଯୁଧିଷ୍ଠିର କଙ୍କ ବୋଲାଇ ବିରାଟ ଙ୍କ ସାଥିରେ

ପଶା ଖେଳୁଥିଲେ ରାଜାଙ୍କ ନିତି ମନ ମୋହିରେ।

ଭୀମଯେ ବହ୍ଲଭ କରନ୍ତି ରାଜା ଘରେ ରୋଷେଇ

ବୃହନଳା ଭାବେ ଅର୍ଜୁନ ନାଚ ଶିଖାନ୍ତି ରହି।

ନକୁଳ ଗ୍ରନ୍ଥିକ ନାମରେ ତହିଁ ରହିଥିଲେ ଟି

ଅଶ୍ବ ମାନଙ୍କର ଯତନ ସେତ ନେଉଥିଲେ ଟି।


ତନ୍ତିପାଳ ସହଦେବ ଯେ ଗୋରୁ ଚରାଉଥାନ୍ତି 

ଗୋରୁଙ୍କ ସାଥିରେ ତାଙ୍କର ଦିନ କାଳ ବିତାନ୍ତି।

ଦ୍ରୌପଦୀ ସାଜିଲେ ସୈରିନ୍ଧ୍ରୀ ପାଟ ରାଣୀଙ୍କ ଦାସୀ

ରାଣୀଙ୍କର ସେବା କରନ୍ତି ନିତି ସେ ହସିହସି।

ଗୁପ୍ତ ବନବାସ ଅବଧି ଯେବେ ଶେଷ ହୋଇଲା

ପାଣ୍ଡବ ଙ୍କ ପରିଚୟତ ତହିଁ ଜଣାପଡ଼ିଲା।


ପାଣ୍ଡବ ଙ୍କୁ ଚିହ୍ନି ପାରିଣ ବିରାଟ ଯେ କୁହନ୍ତି 

କୃଷ୍ଣ ବଳରାମ ଦର୍ଶନ କରନ୍ତେ ସେ କେମିତି!

ପାଣ୍ତବେ ଚାହିଁଲେ ସେମାନେ ନିଶ୍ଚୟ ତ ଆସିବେ

ବିରାଟ, ପ୍ରଭୁ ଙ୍କୁ ଦର୍ଶନ କରି ଧନ୍ୟ ହୋଇବେ।

ବିରାଟ ଙ୍କ ଅନୁରୋଧ ରେ କୃଷ୍ଣ ବଳରାମ ଯେ

ପାଣ୍ଡବ ଥିବାରୁ ଆସିଲେ ଦୁହେଁ ବିରାଟ ରାଜ୍ୟେ।


ଗ୍ରୀଷ୍ମ ଋତୁ ହୋଇଥିବାରୁ ହେଲା ଚାପ ଖେଳ ଟି 

କୃଷ୍ଣ ବଳରାମ ପାଣ୍ଡବ ଚାପେ ବିଜେ ହେଲେଟି।

ପ୍ରିୟ ପରିଜନ ମେଳରେ ପୁଷ୍କରିଣୀ କୂଳରେ

ବସିଣ ବିରାଟ ଦେଖିଲେ ସେହି ଭବ୍ଯ ଦୃଶ୍ଯ ରେ।

ଦ୍ବାପର ର ସେହି ଲୀଳା ଟି ଆଜି ନୀଳାଚଳ ରେ 

ମହାପ୍ରଭୁ ଚାପ ଖେଳନ୍ତି ପାଣ୍ଡବଙ୍କ ସାଥିରେ।


ବାହାର ଚନ୍ଦନ ଭାବରେ କ୍ଷାତ ଅଟେ ଏ ଯାତ

ଏକୋଇଶି ଦିନ ଲୀଳା ଏ ଉଛୁଳଇ ଶ୍ରୀକ୍ଷେତ୍ର।

ମଦନ ମୋହନ ଭୂଦେବୀ ଦେବୀ ଶ୍ରୀଦେବୀ ସାଥେ

ରାମକୃଷ୍ଣ ପଞ୍ଚୁପାଣ୍ଡବ ଯୋଗ ଦିଅନ୍ତି ଯାତେ।

ପବିତ୍ର ଶ୍ରୀକ୍ଷେତ୍ର ଧାମର ପଞ୍ଚ ମହାଦେବ ଟି

ସେମାନେ ଯେ ପଞ୍ଚୁ ପାଣ୍ଡବ ଭାବେ କ୍ଷାତ ଅଟନ୍ତି।


ବଡ ଭାଇ ଯୁଧିଷ୍ଠିର ଯେ ଶିବ ଶ୍ରୀ ଯମେଶ୍ୱର 

ଦ୍ଵୀତୀୟ ପାଣ୍ଡବ ଭୀମଯେ ଲୋକନାଥ ଈଶ୍ୱର।

ମାର୍କଣ୍ଡେୟ ଦେବ ତୃତୀୟ ପାଣ୍ଡବ ଯେ ବୋଲାନ୍ତି

ଅଜୁର୍ନ ରୂପରେ ପ୍ରଭୁଙ୍କ ଭାରି ପ୍ରିୟ ଅଟନ୍ତି।

କପାଳ ମୋଚନ ନକୁଳ ଭାବେ ସେ ପରା କ୍ଷାତ

ସହଦେବ ସାନ ପାଣ୍ଡବ ଶିବ ଶ୍ରୀ ନୀଳକଣ୍ଠ ।


ମଦନମୋହନ ଦେବଙ୍କ ସାଥେ ମଣି ବିମାନେ 

ଭୂଦେବୀ ଶ୍ରୀଦେବୀ ଯାଆନ୍ତି ବସି ଚାପ ଚନ୍ଦନେ।

ଗଜଦନ୍ତ ପାଲିଙ୍କିରେ ତ ରାମକୃଷ୍ଣ ଚଳନ୍ତି

ପଛେପଛେ ପଞ୍ଚୁ ପାଣ୍ଡବ ବିମାନରେ ଯାଆନ୍ତି।

ସିଂହ ଦୁଆରୁରୁ ବାହାରି ପରିକ୍ରମା ମାର୍ଗରେ

ପାଲିଙ୍କି ବିମାନ ଚଳନ୍ତି ତହୁଁ ବଡ ଦାଣ୍ଡରେ।


ବିମାନ ବଡୁଏ ବିମାନ କାନ୍ଧେ ବୋହି ନିଅନ୍ତି 

ନାଚଗୀତ କରି ଭକତେ ଆଗେଆଗେ ଯାଆନ୍ତି ।

ବାଇଦ ବାଜଣା ବାଜଇ କେତେ ରଙ୍ଗ ରେ ତହିଁ

ଭଜନ କୀର୍ତ୍ତନେ ଉଛୁଳେ ସାରା ଶ୍ରୀକ୍ଷେତ୍ର ଭୂଇଁ ।

ଜୟଜୟ ଜଗନ୍ନାଥ ହେ ଭକ୍ତ ମାନେ ଘୋଷନ୍ତି

ଦିଅଁ ମାନଙ୍କର ଦର୍ଶନେ ସବୁ ଧନ୍ୟ ହୁଅନ୍ତି।


ପବିତ୍ର ନରେନ୍ଦ୍ର ପୋଖରୀ ଜଳେ ଚନ୍ଦନ ଲୀଳା

କୂଳ ସାରା ଭକ୍ତ ଗହଳୀ ଭାବ ଭକ୍ତି ର ମେଳା।

ଗଙ୍ଗା ଜମୁନା ର ଜଳ କି ସତେ ଉଛୁଳେ ତହିଁ

ରଙ୍ଗମୟ ଚଉଦିଗ ଯେ ମନ ନିଅଇ ମୋହି ।

ନରେନ୍ଦ୍ର କୂଳରେ ବିମାନ ଯେବେ ପହଞ୍ଚି ଥାନ୍ତି

ଦେବାଦେବୀଙ୍କୁ ତ ସ୍ବାଗତ ତହିଁ କରାଯାଏଟି।


ଦଶ ମୂରତୀଙ୍କୁ ସେବକେ ଯତନରେ ନିଅନ୍ତି

ଚନ୍ଦନ ଚକଡା ଉପରେ ନେଇ ବିଜେ କରାନ୍ତି।

ଦେବାଦେବୀଙ୍କର ପ୍ରଥମେ ହୁଏ ପାଦ ଧୌତଟି

ପଣା ପାଣି ନଇବେଦ୍ଯ ଯେ ତହୁଁ ଲାଗି ହୁଏ ଟି।

ଧୂପ ଦୀପ ଲାଗି ହୁଅଇ ହୁଏ ପୂଜା ଅର୍ଚ୍ଚନା

ଚାପ ଖେଳ ପାଇଁ ଚାପଙ୍କୁ କରାଯାଏ ମାର୍ଜନା।


ମଦନମୋହନ ଭୂଦେବୀ ଆଉ ଶ୍ରୀଦେବୀ ମିଶି

ଧଳା ରଙ୍ଗ ଚାପ ନନ୍ଦା ରେ ବିଜେ କରନ୍ତି ହସି।

ରାମକୃଷ୍ଣ ବେନି ଭାଇ ଯେ ନାଲି ଚାପରେ ଯାଇ

ପଞ୍ଚୁପାଣ୍ଡବ ଙ୍କ ସାଥିରେ ବିଜେ କରନ୍ତି ତହିଁ ।

ବୈଜୟନ୍ତୀ ନାଆ ଆଗରେ ଭାସି ଭାସି ଯାଆନ୍ତି

ମସାଲ ଜଳାଇ ଚାପଙ୍କୁ ବାଟ ଦେଖାଉଥାନ୍ତି।


ଘଣ୍ଟୁଆ ବଜାନ୍ତି ଘଣ୍ଟ ଯେ ବାଜୁଥାଏ କାହାଳୀ

ବାଇଦ ବାଜଣା ବାଜଇ ଦିଗ ପଡେ ଉଛୁଳି।

ବୈଜୟନ୍ତୀ ନାଆ ପଛରେ ଭଦ୍ରା ଚାପ ଚଳନ୍ତି

ନାଲି ରଙ୍ଗ ସେହି ଚାପ ଯେ ମନ ମୋହି ନିଅନ୍ତି।

ପଛରେ ଭାସନ୍ତି ନନ୍ଦାଯେ ଧଳା ରଙ୍ଗଟି ତାର

ଅପୂର୍ବ ତାହାର ଶୋଭା ଟି ଦିଶେ କି ମନୋହର।


ନାଉରୀଆ କାତ ମାରିଣ ଚାପ ନିଅନ୍ତି ବାହି

ନରେନ୍ଦ୍ର ର ସବୁ କୋଣରେ ଚାପ ଘୂରନ୍ତି ଯାଇ।

ଚାପ ଭାସି ଭାସି ଯାଆନ୍ତି ଆହା ସେ ଯେଉଁ କୂଳେ

ହରିବୋଲ ହୁଳହୁଳି ରେ ପୁଷ୍କରିଣୀ ଉଛୁଳେ ।

ଦିନ ବେଳା ପୁଣି ରାତିରେ ଥରେ ଚାପ ହୁଅନ୍ତି

ମଝିରେ ଠାକୁରେ ଚନ୍ଦନ ଚକଡାରେ ବସନ୍ତି।


ଚନ୍ଦନ ପାଣିରେ ବସିଣ ଦିଅଁ ସ୍ନାନ କରନ୍ତି

ସ୍ନାନ ପରେ ଫୁଲ ଚନ୍ଦନେ ସେତ ବେଶ ହୁଅନ୍ତି। 

ମଦନମୋହନ ନିଇତି ନୂଆ ବେଶ ହୁଅନ୍ତି 

ଶଖି ମାନଙ୍କ ର ମନକୁ ସେତ ମୋହି ନିଅନ୍ତି।

ବେଶ ପରେ ପୁଣି ଆରମ୍ଭ ହୁଏ ରାତି ର ଚାପ

ରଙ୍ଗ ବେରଙ୍ଗର ଆଲୋକେ ହସେ ନରେନ୍ଦ୍ର ତଟ ।


ରାତି ଚାପ ଶେଷ ହୋଇଲେ ପୁଣି ଭୋଗ ଲାଗେ ଟି

ତାପରେତ ଦେବାଦେବୀ ଯେ ଦେଉଳକୁ ଫେରନ୍ତି।

ଏହିପରି ଅକ୍ଷି ତୃତୀୟା ଦିନୁ ନରେନ୍ଦ୍ର ଯାଇ

ଏକୋଇଶି ଦିନ ଚନ୍ଦନ ଲୀଳା କରନ୍ତି ସାଇଁ।

ଚନ୍ଦନ ସରିବା ପୂରୁବ ଦିନ ଅଟେ ଭଉଁରୀ

ଭଜନ କୀର୍ତ୍ତନେ ନରେନ୍ଦ୍ର କୂଳ ପଡେ ଉଛୁଳି।


ଭଉଁରୀ ରାତିରେ ନରେନ୍ଦ୍ର ପ୍ରତି କୋଣରେ ଯାଇ

ସାତ ଘେରା ଚାପ ଘୂରିଣ ମନ ନିଅନ୍ତି ମୋହି।

ଭଉଁରୀ ଦର୍ଶନ କରିଲେ ମିଳେ ପୂଣ୍ୟ ଅଶେଷ

ଭକତ ବତ୍ସଳ ଦିଅନ୍ତି ଭକ୍ତେ ଢାଳି ଆଶିଷ ।

ଚନ୍ଦନ ର ଶେଷ ଦିନରେ ଦିନ ଚାପ କେବଳ

ଦେଖିବା ପାଇଁକି ଭକ୍ତ ଙ୍କ ହୁଏ ଭାରି ଗହଳ।


ଚାପରେ ତ ମଧୁସୂଦନ ଭକ୍ତ ଦର୍ଶନ କରି

ଉର୍ଦ୍ଧ ବାହୁ ହୋଇ କୁହନ୍ତି ପ୍ରଭୁ କର ହେ ପାରି।

ତୁମେ ଦୟା କଲେ ପ୍ରଭୁ ହେ ମିଳେ ଶାନ୍ତି ଅପାର 

ଦୁଃଖ ଅବସାଦ ଅଚିରେ ସବୁ ହୁଅଇ ଦୂର।

ପାରି କର ପ୍ରଭୁ ଅଧମେ ପାଦେ କରେ ମିନତି

ଏ ଭବ ସାଗରୁ ପ୍ରଭୁ ହେ ଦିଅ ଦିଅ ମୁକତି।




Rate this content
Log in

Similar oriya poem from Abstract