ଅନ୍ନ ବ୍ରହ୍ମ
ଅନ୍ନ ବ୍ରହ୍ମ
ଭୋଜନ କ୍ଷେତ୍ରଯେ ଶ୍ରୀକ୍ଷେତ୍ର ଦିବ୍ୟ କ୍ଷେତ୍ର ମହାନ
ଅନ୍ନ ଯହିଁ ବ୍ରହ୍ମ ସ୍ବରୂପ ଶାସ୍ତ୍ରେ ଅଛି ବର୍ଣ୍ଣନ ।
ଚକାଡୋଳା ଚକାଆଖି ହେ ପ୍ରଭୁ ଚକାନୟନ
ଖାଇବା ଠାକୁର ପ୍ରଭୁ ମୋ ଜଗତରେ ଅନନ୍ୟ।
ସ୍କନ୍ଦ ପୁରାଣ ରେ ରହିଛି ଏକ ସୁନ୍ଦର କଥା
ପଣ୍ଡିତ ହୋଇତ ଭୋଗିଲେ ସେଯେ ଅସହ୍ୟ ବ୍ୟଥା।
ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ କରିବା ପାଇଁ କ୍ଷେତ୍ରେ ଦର୍ଶନ
ବହୁଦୂରୁ ଆସିଥିଲେତ କେତେ ପଣ୍ଡିତ ଗଣ ।
ରତ୍ନବେଦିରେ ପ୍ରଭୁଙ୍କୁ ସବୁ ଦର୍ଶନ କଲେ
ସାଷ୍ଟାଂଗ ପ୍ରଣାମ ପ୍ରଭୁଙ୍କ ପାଦରେ ସେ କରିଲେ ।
ମହାପ୍ରଭୁଙ୍କର ଦର୍ଶନ ସାରି ପଣ୍ଡିତ ମାନେ
ଶ୍ରୀ ମହାପ୍ରସାଦ ସେବନ ପାଇଁ ଭାବିଲେ ମନେ।
ପ୍ରଭୁଙ୍କ ପାଖରେ ନୈବେଦ୍ୟ ବିମଳା ଙ୍କୁ ଲାଗିଲେ
ମହାପ୍ରସାଦ ସେ ହୁଅଇ ପଣ୍ଡିତେ ତ ବୁଝିଲେ ।
ପ୍ରଭୁଙ୍କ ପ୍ରସାଦ ମାଆଙ୍କୁ ଯେଣୁ ହୁଅଇ ଲାଗି
ଉଚ୍ଛିଷ୍ଟ ଭାବି ସେ ନଖାଇ ଦେଲେ ଦୂରକୁ ଫିଙ୍ଗି।
କ୍ଷଣିକ ମଧ୍ୟରେ ସେଦିନ ସେହି ପଣ୍ଡିତ ଗଣ
ପେଟରେ ଅସହ୍ୟ ଯନ୍ତ୍ରଣା ସବୁ ଭୋଗିଲେ ଜାଣ ।
ନିଜ ଦୋଷ କୁ ତ ସେମାନେ ନିଜେ ସ୍ବୀକାର କଲେ
ଅନ୍ନ ବ୍ରହ୍ମେ ନିନ୍ଦା କରି ତ ଫଳ ତାର ଭୋଗିଲେ ।
ମହାପ୍ରଭୁଙ୍କର ପାଦରେ ଗଲେ ଶରଣ ସେତ
ତହୁଁ ହେଲେ ସେହି ପଣ୍ଡିତ ସବୁ ଯନ୍ତ୍ରଣା ମୁକ୍ତ।
ମହାପ୍ରସାଦ ଙ୍କ ନିନ୍ଦା ଯେ ମହାପାପ ଯେ ଜାଣ
ସେ ପାପୁରୁ ନାହିଁ ମୁକତି ପୁରାଣ ରେ ବର୍ଣ୍ଣନ।
ରେଣୁ ଏ ଯାହାଙ୍କ ଅଟଇ ଆହା ଅମୂଲମୂଲ
ଶାନ୍ତି ମୁକତି ର ରେଣୁ ସେ ସେତ ଅମୃତ ତୁଲ୍ୟ।
ସେ ରେଣୁ ପାଇବା ପାଇଁକି ସରଗରୁ ଦେବତା
ଶ୍ରୀକ୍ଷେତ୍ରେ କୁ ଆସିଥାନ୍ତି ସେ ଅଛି କାହାଣୀ କଥା।
ଷାଠିଏ ପଉଟି ଖିଆହେ ପ୍ରଭୁ ଛପନ ଭୋଗୀ
କେତେ ପିଠା ମିଠା ନିଇତି ହୁଏ ପାଖରେ ଲାଗି ।
ଅମାଲୁ ଆରିଶା କଦମ୍ବ ଅଟକାଳି ଏଣ୍ଡୁରି
ହଂସକେଳି ଖଜା କାକରା କୋରା ଖଇର ପୁରି ।
ଚକଟା ଚିତୋଉ ଚକୁଳି ଚୂଳ ଖୁରିସା କ୍ଷୀରି
ଖୁରୁମା ଖିଚୁଡି ଡାକୁଆ ଗଜା ଝିଲ୍ଲି ତ୍ରିପୁରୀ।
ପଣା ପଣାସୁଆ ଗଇଁଠା ଜେନାମଣି ଗୋଟାଳି
ଛୁଞ୍ଚିପତ୍ର ଛେନା ତାଡ଼ିଆ ଧଉଳା ସରପୁଳି ।
ନାଡି ଜଗନ୍ନାଥ ବଲ୍ଲଭ ବଡା ଅଦା ପାଚେଡି
ଡାଳିମ୍ବ ସୁଆର ପଖାଳ ପିଠା ସରପାପୁଡି ।
ଖୁଆ ମଣ୍ଡା ବଳି ବାମନ ଫେଣି ମୋହନ ଭୋଗ
ମନୋହରା ହଂସ ବହ୍ଲଭ ଲଡୁ ରାଧା ବହ୍ଲଭ।
ମିଠା ଅନ୍ନ ସାଧା ଅନ୍ନ ଯେ ପୁଣି ମିଠା ଖେଚୁଡ଼ି
ସୁଆଦିଆ ଦହି ପଖାଳ ଖାଆନ୍ତି ସେ ଚିପୁଡି ।
ମନ୍ଦିରର ଅଗ୍ନି କୋଣରେ ଅଛି ରୋଷ ଘରଟି
ମହାପ୍ରସାଦ ତ ପ୍ରସ୍ତୁତ ହୋଇଥାଏ ଯେଉଁଠି।
କୂଅ ନାମ ଗଙ୍ଗା ଯମୁନା ତହୁଁ ପାଣି ଆସଇ
ଅନ୍ନ ବ୍ୟଞ୍ଜନ ସେ ପାଣିରେ ପରା ରନ୍ଧା ହୁଅଇ ।
ଦିବ୍ୟ ବଇଷ୍ଣବ ଅଗ୍ନିରେ ପାକ ହୁଏ ପ୍ରସ୍ତୁତ
ମାଟି ରେ ତିଆରି ହାଣ୍ଡିରେ ସବୁ ହୁଏ ରନ୍ଧାତ ।
ଅନ୍ନ ରନ୍ଧା ପାଇଁ ଆସଇ ଯେଉଁ ଚାଉଳ ସେତ
ଅମଣିଆ ଭାବେ ମନ୍ଦିରେ ସେହି ଚାଉଳ କ୍ଷାତ।
ଅମଣିଆ ରନ୍ଧା ହୋଇଲେ ସେତ ହୁଅନ୍ତି ଅନ୍ନ
ମହମହ ବାସୁଥାଏ ଯେ ଅନ୍ନ ସାରା ଭୁବନ ।
ଅନ୍ନ ଯେବେ ବୁହା ହୁଅନ୍ତି ଭୋଗ ମଣ୍ଡପକୁ ଟି
ଡକା ପଡେ ଆଡ ହୁଅ ହେ ଛେକ ଆସୁଅଛନ୍ତି ।
ବାଘମୁଖା ସବୁ ସେବକ ମାନେ ଘୋଡାଇ ହୋଇ
ବାହୁଙ୍ଗିରେ ଅନ୍ନ ହାଣ୍ଡି ଙ୍କୁ ସେତ ନିଅନ୍ତି ବୋହି ।
ଭୋଗ ମଣ୍ଡପ ରେ ଭୈରବୀ ଚକ୍ର ରହି ଅଛନ୍ତି
ଚକ୍ର ପରେ ହାଣ୍ଡି ସବୁ ଯେ ଯତ୍ନେ ରଖା ଯାଆନ୍ତି।
ଭକତିରେ ଅନ୍ନ ବ୍ୟଞ୍ଜନ ସବୁ ଖଞ୍ଜା ଯାଆନ୍ତି
ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ଭୋଗ ଯେ ତହିଁ ଲାଗି ହୁଅନ୍ତି
ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ପାଖରେ ନଇବେଦ୍ଯ ଅର୍ପଣ
ତହୁଁ ବିମଳାଙ୍କ ପାଖରେ ଲାଗି ହୁଅନ୍ତି ଜାଣ ।
ମାଆଙ୍କୁ ପ୍ରସାଦ ଅର୍ପଣେ ହୁଏ ମହାପ୍ରସାଦ
କଣାଏ ପାଇଲେ ମିଳଇ ଆହା ସ୍ବର୍ଗ ଆନନ୍ଦ।
ଶ୍ରୀ ମହାପ୍ରସାଦ କୈବଲ୍ୟ ଭକ୍ତ ମାନେ ପାଆନ୍ତି
କୈବଲ୍ୟ କଣାଏ ପାଇବା ପାଇଁ ଚାହିଁ ବସନ୍ତି।
ଆନନ୍ଦେ ଆନନ୍ଦ ବଜାରୁ ଅବଢ଼ା ଯେ ନିଅନ୍ତି
ଆନନ୍ଦ ରେ ବସି ସମସ୍ତେ କୈବଲ୍ୟ ଯେ ଭୁଞ୍ଜନ୍ତି।
ଅବଢ଼ା ଅନ୍ନତ ଯେତିକି ଯାହା ବଳି ପଡନ୍ତି
ଶୁଖିଗଲା ପରେ ଅନ୍ନ ଯେ ନିର୍ମାଲ୍ୟ ତ ହୁଅନ୍ତି ।
ନିର୍ମାଲ୍ୟ ହୁଅନ୍ତୁ ଅବା ସେ ଅବଢ଼ା କଇବଲ୍ୟ
କଣାକାର ମୂଲ୍ୟ ତାଙ୍କର ଅଟଇ ଯେ ଅମୂଲ୍ୟ।
ଆନନ୍ଦ ବଜାରେ ବସଇ ସେହି କୈବଲ୍ୟ ହାଟ
ମୁଠାଏତ ମାଗି ଖାଇଲେ ପୁରିଯାଏ ରେ ପେଟ ।
ଦୁଃଖ ଅବସାଦ ନିମିଷେ ସବୁ ଯାଏ ଉଭେଇ
ଯଦି କାହୁଁ ଆସି କଣାଏ କୈବଲ୍ୟ ତ ମିଳଇ ।
ଖାଇବା ଠାକୁର ପ୍ରଭୁ ହେ ତୁମେ ଶ୍ରୀଜଗନ୍ନାଥ
ଖାଇବା ଲାଗି ତ ଜଗତେ ପ୍ରଭୁ ହୋଇଛ କ୍ଷାତ।
ନିର୍ମାଲ୍ୟ କୈବଲ୍ୟ ତୁମର ପ୍ରଭୁ ଅବଢ଼ା ଅନ୍ନ
ଅନ୍ନ ବ୍ରହ୍ମ ବ୍ରହ୍ମ ସ୍ବରୂପ ସେତ ବ୍ରହ୍ମ ମହାନ।
କଇବଲ୍ଯ ଅନ୍ନ ବ୍ରହ୍ମ ଙ୍କୁ ମୋର ଶତ ପ୍ରଣାମ
ସେହି ମୋର ଶାନ୍ତି ମୁକତି ମୋର ପୂଣ୍ୟ ଧରମ ।
ଅନ୍ନ ବ୍ରହ୍ମଙ୍କର ମହିମା ଗାଏ ପୋଥି ପୁରାଣ
ଧନ୍ୟ ହୁଏ ଯିଏ ନିଷ୍ଠା ରେ ଅନ୍ନ କରେ ଭୋଜନ ।
ବ୍ରହ୍ମ ବଇବର୍ତ୍ତ ପୁରାଣେ ହୋଇଅଛି ବର୍ଣ୍ଣନ
ଶ୍ରୀ ମହାପ୍ରସାଦ ଅଟନ୍ତି ପାପ ତାପ ନାସନ।
ବାୟୁ ପୁରାଣ ଯେ ବଖାଣେ ପୂଣ୍ୟ କଥାଟି ଏହି
କେବେ ଦିବ୍ୟ ମହାପ୍ରସାଦ ମାରା ହୁଅନ୍ତି ନାହିଁ।
ଚତୁର୍ବର୍ଗ ଯୋଗୀ ଈଶ୍ୱର ଶାସ୍ତ୍ର ବଖାଣୀ ଛନ୍ତି
ମହାପ୍ରସାଦ ଙ୍କୁ ଦୂରରୁ ପାପ ପାପି ଡରନ୍ତି।
ସୂତ ସଂହିତା ରେ ନିଜେ ଶ୍ରୀ ମହାପ୍ରଭୁ କୁହନ୍ତି
ଶ୍ରୀ ମହାପ୍ରସାଦ ଅନ୍ନ ଯେ ଯେଉଁମାନେ ପାଆନ୍ତି,
ତୀର୍ଥାଟନ ପୁଣ୍ୟଫଳ ଟି ସେମାନଙ୍କୁ ମିଳଇ
ଜୀବନର ସବୁ ଯାତନା ଯାଇଥାଏ ଦୂରେଇ ।
ବାମ୍ଫରେ ତ ମହାପ୍ରସାଦ ହୋଇଥାନ୍ତି ରନ୍ଧନ
ସେଲାଗି ରହିଛି ତହିଁରେ ଭରା ଔଷଧ ଗୁଣ।
ମାଟି ହାଣ୍ଡିରେ ତ ରନ୍ଧନ ଯେଣୁ ଅନ୍ନ ବ୍ୟଞ୍ଜନ
ବାସନା ଯେମିତି ସେମିତି ସ୍ବାଦ ଅପୂର୍ବ ଜାଣ।
ମହାପ୍ରସାଦ ଙ୍କୁ ନିନ୍ଦା ତ ଯେଉଁମାନେ କରନ୍ତି
ମହା ଅପରାଧ ଫଳ ଯେ ସେହିମାନେ ଭୋଗନ୍ତି।
ଆହେ ମହାପ୍ରଭୁ ସବୁତ ଅଟେ ତୁମରି ଲିଳା
ଉଣାକର ଦୟାବହି ହେ ଏହି ସଂସାର ଜ୍ବଳା।
ତୁମରି ପାଦରେ ପ୍ରଭୁ ହେ କରେ ଏହି ମିନତି
ଶ୍ରୀ ମହାପ୍ରସାଦ ପାଆନ୍ତି ପ୍ରତିଦିନ ଯେମିତି।
ଏ ଜୀବନ ମୋର ହୋଇବ ମହାପ୍ରଭୁ ହେ ଧନ୍ୟ
ତୁଣ୍ଡେ ପାଇ ମହାପ୍ରସାଦ ଯଦି ଯିବ ଏ ପ୍ରାଣ ।