STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ହେ ଦାମୋଦର

ହେ ଦାମୋଦର

2 mins
46


କାର୍ତ୍ତିକ ମାସରେ କୃଷ୍ଣ ଗୋପପୁରେ ସେତ

କରିଥିଲେ ଦାମୋଦର ଲୀଳା ସେ ଅଦ୍ଭୁତ।

ସେଲାଗି କାର୍ତ୍ତିକ ଧର୍ମ ମାସ ଅଧିପତି 

ବିଷ୍ଣୁ ଙ୍କ ସ୍ବରୂପେ ଦାମୋଦର ଯେ ଅଟନ୍ତି।


ମହାପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣ ଶ୍ରୀପତି 

କାର୍ତ୍ତିକ ରେ ଦାମୋଦର ଲୀଳା ସେ କରନ୍ତି।

କାର୍ତ୍ତିକ‌ ଧରମ ମାସ ସାରା ଶ୍ରୀମନ୍ଦିର 

ଦାମୋଦର ପୂଜା ପାଇଁ ଆନନ୍ଦ ମୁଖର।


ଶ୍ରୀମନ୍ଦିରେ ଦାମୋଦର ପୂଜା ର ବିଧାନ 

ଦଶହରା ପରଦିନ ଆରମ୍ଭ ଯେ ଜାଣ।

କାର୍ତ୍ତିକ ଶୁକ୍ଳ ଏକାଦଶୀ ଯାଏ ସେତ

ରାଇ ଦାମୋଦର ବେଶ ନିତି ଜଗନ୍ନାଥ।


କାର୍ତ୍ତିକ ମାସ ସାରା ଭକତେ ଆସନ୍ତି

ଶ୍ରୀମନ୍ଦିରେ ରାଇ ଦାମୋଦର ଙ୍କୁ ଦେଖନ୍ତି।

ବୃନ୍ଦାବତୀ ମୂଳେ ଦାମୋଦରଙ୍କୁ ପୁଜନ୍ତି 

ଦାମୋଦର ଙ୍କ ମହିମା ଗାନ ସେ କରନ୍ତି ।


ନମାମି ସଚ୍ଚିଦାନନ୍ଦ ଗୋବିନ୍ଦ ଗୋପାଳ

କର୍ଣ୍ଣରେ ଦୋଳାୟମାନ ମକର କୁଣ୍ଡଳ।

ଗୋକୁଳର ଶିରି ପ୍ରଭୁ ଗୋପୀଙ୍କର ପ୍ରାଣ

ଲବଣୀ ଚୋର ହେ କୃଷ୍ଣ ରାଧିକା ଜୀବନ।


ଗୋପୀଙ୍କ ସାଥିରେ ତୁମ ଦୁଷ୍ଟାମୀ ନିଇତି

ଯଶୋଦା ଙ୍କୁ ଗୋପୀ ମାନେ ଗୁହାରି କରନ୍ତି।

ମାଆ ଯେବେ ରାଗିଯାନ୍ତି କଅଁଳ ହାତରେ

ଆଖି ମଳି ମଳି କାନ୍ଦ ତୁମେତ ମିଛରେ।


ଯଶୋମତି ବେତ ଦେଖି ତୁମେତ ଦଉଡ

ମାତାଙ୍କ ହାତରେ ପୁଣି ଶେଷେ ଧରା ପଡ।

ଦାମ ଯେ ଦଉଡି ତୁମ ଉଦରରେ ବାନ୍ଧି 

ଦାମୋଦର ଭକ୍ତି ଡୋରେ ହୁଅନ୍ତି ସେ ଛନ୍ଦି।


ସେହି କୃଷ୍ଣ ଦାମୋଦର ପାଦରେ ପ୍ରଣତି

ଶାନ୍ତି ତୁମେ ମୁକ୍ତି ତୁମେ ଅଗତିର ଗତି।

ଧର୍ମ ମାସ କାର୍ତ୍ତିକ ରେ ତୁମ ଅରଚନା

ଭକତେ କରନ୍ତି ତୁମ ବ୍ରତ ଉପାସନା।


ଦାମୋଦରଙ୍କର ସେହି ଦିବ୍ୟ ବାଲ୍ୟ ଲୀଳା

ଗୋକୁଳ ବାସୀଙ୍କ ପାଇଁ ସ୍ନେହ ଶ୍ରଦ୍ଧା ବୋଳା।

ଭକତ ମାନଙ୍କୁ ସେତ କୁହନ୍ତି ବୁଝାଇ

ପ୍ରେମପୂର୍ଣ୍ଣ ଭକ୍ତିରେତ ବଶୀଭୂତ ମୁହିଁ।


ଭକ୍ତ ମୋର ପ୍ରାଣ ସେତ ଭକ୍ତ ମୋର ବନ୍ଧୁ

ଭକତ ପାଇଁକି ମୁଁ ତ କରୁଣାର ସିନ୍ଧୁ।

ସେହି ଦାମୋଦର ସେହି ଭାବର ଠାକୁର

ପାଦରେ ତାଙ୍କର ମୋର କୋଟି ନମସ୍କାର।


ଭକତକୁ ଦିଅ ତୁମେ ମନ ଜାଣି ବର

ଭବ ଜଳଧିରୁ ତୁମେ କର ହେ ଉଦ୍ଧାର।

ଭକତ ହିତରେ ସଦା ତୁମେ ଦୟାମୟ

ଭକତର କର ତୁମେ ସଦା ଜୟଜୟ।


ମୋକ୍ଷ ହେବାପାଇଁ ପ୍ରଭୁ ମାଗୁନି ମୁଁ ବର

ଏତିକି ମିନତି କରେ ପାଦରେ ତୁମର,

ବାଳମୁକୁନ୍ଦ ରୂପରେ ହୃଦୟରେ ମୋର

ସଦା ବିରାଜିତ ହୁଅ ଆହେ ଦାମୋଦର।


ନୀଳକମଳ ସଦୃଶ ତୁମ ଗଣ୍ଡଦେଶ

ରଖଇ ଘୋଡାଇ ତୁମ ସେ କୁଞ୍ଚିତ କେଶ ।

ମାତାଙ୍କର ଚୁମ୍ବନ ରେ ପୁଲକିତ ହୁଅ

ରକ୍ତ ବର୍ଣ୍ଣ ଓଠରୁତ ହସ ଢାଳୁଥାଅ।


ଲକ୍ଷେ ଐଶ୍ୱର୍ଯ୍ୟରେ ମୋର କି ଲାଭ ମିଳିବ

ତୁମ ସାଥେ ପ୍ରଭୁ ମୋର ଏକା ଭାବନାବ।

ତୁମର ଶ୍ରୀମୁଖ ତୁମ କାନ୍ତି ଅପରୂପ

ହୃଦୟେ ମୋ ସଦା ପ୍ରଭୁ ହେଉ ବିରାଜିତ ।


ହେ ଅନନ୍ତ ନାରାୟଣ ବିଷ୍ଣୁ ଦାମୋଦର

ଅଜ୍ଞାନ ତୀମିର ଭରା ଏ ମାୟା ସଂସାର।

ଦୁଃଖର ସାଗରେ ଏଠି ଜୀବନ ଜଞ୍ଜାଳ

ପାଏ ନାହିଁ ହାତ କାତ ନାହିଁ ଥଳ କୂଳ।


ଏ ଅଧମ ପରେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ

ତୁମ ପାଦତଳେ ସଦା ରହୁ ମୋର ମନ।

ଅମୃତ ଦୃଷ୍ଟିରେ ପ୍ରଭୁ ବାରେ ଚାହଁଥାୟ

ବେଳ ଅବେଳରେ ମୋତେ ହୋଇବ ସହାୟ ।


ଅନନ୍ତ ଅସୀମ ତୁମେ ଦାମୋଦର ଆହେ

ଯଶୋଦା ଙ୍କ ପାଶେ ତୁମେ ଛୋଟ ଶିଶୁଟିଏ।

ରଜ୍ଜୁ ରେ ତୁମକୁ ସିନା ବାନ୍ଧି ଦେଲେ ମାତା

ମୁକତି ଲଭିଲେ ତେଣେ ସେ କୁବେର ଭ୍ରାତା।


ଏମିତି ସୁଯୋଗ ପ୍ରଭୁ ମୋତେ ବାରେ ଦିଅ

ହୃଦୟରେ ମୋର ସଦା ତୁମେ ରହିଥାଅ।

ମୋକ୍ଷ ନୁହେଁ ବକ୍ଷରେ ମୁଁ ତୁମକୁ ଯେ ଧରି

ମୁଖ ମୋର ଗାଉଥିବ ସଦା ହରିହରି ।


ତୁମ ଉଦରରୁ ବ୍ରହ୍ମା ହୋଇଲେ ଉତ୍ପତ୍ତି 

ତାଙ୍କରି ହସ୍ତରେ ହେଲା ଏ ବ୍ରହ୍ମାଣ୍ଡ ସୃଷ୍ଟି।

ସେହି ଉଦରକୁ ତୁମ ଯଶୋଦା ଜନନୀ 

ରଜ୍ଜୁ ରେତ ବାନ୍ଧି ଥିଲେ କେମିତି କେଜାଣି।


ଯେଉଁ ରଜ୍ଜୁ ରେ ତ ତୁମେ ଥିଲ ବନ୍ଧାହୋଇ

ପ୍ରଣାମ କରୁଛି ତାଙ୍କୁ ଭକତି ରେ ମୁହିଁ।

ରାଧା ତୁମ ପ୍ରାଣ ତାଙ୍କୁ ଶତ ପ୍ରଣିପାତ

ତୁମ ସବୁ ଲୀଳା କୁ ମୋ ପ୍ରଭୁ ଦଣ୍ଡବତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract