ଚାଲ ସଖୀ ଏକ ମନ୍ଦିର ତୋଳିବା
ଚାଲ ସଖୀ ଏକ ମନ୍ଦିର ତୋଳିବା
ଭାବିଛି ମୁଁ ତୁମ ଇଲାକାରେ ଏକ
ନୂଆ ରାଇଜ ଗଢିବି ,
ସେଇ ରାଇଜକୁ ତୁମ ଭାବନାର
ଫୁଲରେ ସଜେଇଦେବି ।
ମନ-ସାଗରର ବେଳାଭୂମିଠାରୁ
ଶାମୁକା ଗୋଟାଇ ଆଣି ,
ଗଢ଼ିଦେବି ଏକ ସୁନ୍ଦର ମନ୍ଦିର
ଛନ୍ଦି ତ୍ୟାଗର ରାଗିଣୀ ।
ତ୍ୟାଗ ଆଉ ଭୋଗ ଉଭୟେ ପ୍ରେମର
ଦୁଇ ଅଙ୍ଗାଙ୍ଗି ପାଖୁଡା ,
ତ୍ୟାଗ ତା' ବାମାଙ୍ଗୀ ସଉତୁଣୀ ଗୁଣେ
ଭୋଗର ହୃଦୟ ଗଢ଼ା ।
ସେଦିନ ଦେଖିଲି ତୁମ ଅଗଣାରେ
କେତେ ଫୁଲ ପାରିଜାତ ,
ବହଳ ବହଳ ବାସନା ତାହାର
ମହକେ ମୋ' ମନ ପ୍ରୀତ ।
ଫୁଲ ଅଗଣାର ପଶ୍ଚିମ ଦୁଆରେ
କେତେ ଲାଜକୁଳୀ ଲତା ,
ସରମରେ ସିନା ସୁନ୍ଦରୀ ସାଜିଛି
ଲୁଚାଇ ତାହାରି ମଥା ।
ତୁଳସୀ ତୁଳସୀ ବାସ ଚହଟୁଛି
ମୃଦୁ ମୃଦୁ ହସ ହସି ,
ଅଙ୍ଗେ ଅଙ୍ଗେ ତୁମ ଲୁଚି ରହିଛି ଗୋ
ମୃଦୁ ସୁଗନ୍ଧା ତୁଳସୀ ।
ଚନ୍ଦନ କର୍ପୂର ରଙ୍ଗର ଅଵିର
ଖୋଜିବାକୁ ପଡ଼ିଲାନି ,
ତୁମରି ଆତ୍ମାରୁ ଝରି ପଡୁଅଛି
ହୋଇ ମନ୍ଦ ମନ୍ଦାକିନୀ ।
ଚାଲ ସଖୀ ଏକ ମନ୍ଦିର ତୋଳିବା
ସେଇ ନୂଆ ରାଇଜରେ ,
ଶ୍ରଦ୍ଧାର ତୁଳସୀ ପ୍ରୀତିର କଳସୀ ,
ମନର ପଵିତ୍ରତାରେ ।
ପ୍ରଜାପତିମାନେ ପ୍ରହରୀ ସାଜିବେ
ନଥିବ ଭଅଁର ଭୟ ,
ଭଅଁରମାନେ ତ ଅବାଧ୍ୟ ବାଚାଳ
ଆମ ପ୍ରେମ ମଧୁମୟ ।
କୃପଣତା ନାହିଁ ଆମ ପ୍ରଣୟରେ
ନାହିଁ ସଂକୀର୍ଣ୍ଣତା ଭାବ ,
ମଧୁ ଯାମିନୀର ପ୍ରତି ପ୍ରହରରେ
ମାନବୀୟ ଅନୁଭବ ।
ଆସ ସଖୀ ଆମ ମନ୍ଦିର ତୋଳିବା
ମାନବୀୟ ପ୍ରେମ ନେଇ ,
ନିଃସର୍ତ୍ତ, ନିଃସ୍ୱାର୍ଥ,ତା' ଭିତ୍ତି ପ୍ରଶାନ୍ତ
ତ୍ୟାଗ-ଶିଳାରେ ସଜେଇ ।