STORYMIRROR

Prashantam Bapu

Inspirational Others

3  

Prashantam Bapu

Inspirational Others

ଚାହେଁନି ସେ

ଚାହେଁନି ସେ

1 min
324

ବୟସର ନଦୀ ବହି ଚାଲିଛି 

ବହି ଚାଲିବ ସେ ଅବିରତ 

ଦେହ ନଉକା ପୁରୁଣା ହେଉଛି 

ଖରା ପାଣି ମାଡ଼ ଖାଇ ଖାଇ ଫସ୍କା ହେଲାଣି

ନାଉରୀର ଆଖିକୁ କୂଳକିନାରା ଦିଶୁନି 

ତଥାପି ତାକୁ ଯିବାକୁ ହେବ ସ୍ରୋତ ସହ

ନାଆ ନ ଭାଙ୍ଗିବା ଯାଏଁ ବୁଡ଼ିବା ଯାଏଁ 

ସେ ବି ଭାଙ୍ଗିବନି ବୁଡ଼ିବନି ।


ବଞ୍ଚିବା ପାଇଁ ଉଦ୍ଦେଶ୍ୟଟିଏ କି ଜରୁରୀ

କାହାକୁ ଏ ପ୍ରଶ୍ନ , କିଏ ବା ଉତ୍ତର ଦେବ

ସବୁ ପ୍ରଶ୍ନରେ ଉତ୍ତର ଯେମିତି ଲୁଚି ରହିଥାଏ 

ସବୁ ଉତ୍ତରରେ ପ୍ରଶ୍ନ ସେମିତି ଜଗି ବସିଥାଏ  

ତେଣୁ ନୀରବ ଦ୍ରଷ୍ଟାଟିଏ ସାଜି 

ସେହି ଦଦରା ନାଆଟିରେ ବସି 

ଭାସି ଚାଲିଛି ସେ ଧାରେ ଧାରେ 

ନା କୂଳ ଖୋଜୁଛି ନା ବିଶ୍ରାମ 

ନାଆ କୁ ସେ ନଛାଡିବା ଯାଏଁ 

ବା ନାଆ ତାକୁ ନଛାଡିବା ଯାଏଁ

ଏ ଯାତ୍ରାର ନା ଶେଷ ଅଛି ନା ବିଶ୍ରାମ 

ଖୋଜିଲେ ତ ସେ କେବେ ମିଳେନି  

ନଖୋଜୁଥିବା ଲୋକ ହିଁ ତାକୁ ପାଏ ।


ଯାହା ସେ ଦେଖୁଛି , ଭୋଗୁଛି

ସବୁ ତ ତାହାରି ସୃଷ୍ଟି 

ସେ ନାହିଁ ତ କିଛି ନାହିଁ 

ସେ ହିଁ ସବୁ ଦୁଃଖର ମଞ୍ଜି 

ତାରି ଭିତର ଅଛି ପୁଣି କାଳେ 

ଖସିଯିବାର ବାଟ ।


ମୁକ୍ତି ବିଶ୍ରାମ ସତରେ କ'ଣ ଥାଏ ?

ସେ ତ ଚାହେଁ ଅସମାପ୍ତ ଆୟୁଷ 

ଅଜସ୍ର ଶକ୍ତି ଆଉ ଅପର୍ଯ୍ୟାପ୍ତ ଆୟୁଧ

ପାଦ ତଳେ ତା'ର ସବୁ ସମ୍ରାଟଙ୍କ ମୁକୁଟ 

ବଳୀ ଠାରୁ ବଳୀ ହେବା ତା'ର ସ୍ୱପ୍ନ

ତା ଦର୍ପ ଭାଙ୍ଗିବାକୁ କେହି ବି ନରହୁ 

ଗୋଟିଏ ବାମନ ପାଦ ତଳେ ଦବି 

ତଥାକଥିତ ଭକ୍ତ ଶିରୋମଣି ବୋଲାଇ 

ନିଜ ବାହୁବଳେ ଅର୍ଜିତ ରାଜ୍ୟକୁ ତ୍ଯାଗୀ

ପାତାଳଗାମୀ ହେବାକୁ ଚାହେଁନି ସେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational