STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବୟସର ଅପରାହ୍ନରେ

ବୟସର ଅପରାହ୍ନରେ

1 min
149

ଏବେ ଯାହା ବେଳ ବୁଡ଼ିବାକୁ ଅପେକ୍ଷା

ବୟସର ଅପରାହ୍ନରେ କ୍ଳାନ୍ତ ଆଜି 

ସ୍ନାୟୁ, ମାଂସପେଶୀ, ମସ୍ତିଷ୍କ ଓ ହୃଦୟ ସମେତ

ଜୀବନର ସଂରଚନା ବିଗିଡ଼ି ଗଲାଣି

ଆୟୁଷର ଉଦ୍ଦାମତା ବିଗିଡ଼ି ଗଲାଣି

ବୟସର ଅପରାହ୍ନରେ ନୀଡ଼ ଖୋଜେ ଆଖି

ଅବସାଦ ଗ୍ରସ୍ତ ଆଜି ଦିନଚର୍ଯ୍ୟା ସମୟ ସାରଣୀ। 


ଏବେ ଯାହା ବୃଦ୍ଧତ୍ଵକୁ ଭୋଗିବାର ବେଳ

ପ୍ରାରବ୍ଧ ନାମରେ ନିୟତିର କାଠଗଡ଼ାରେ 

ନିଜକୁ ପ୍ରମାଣିତ କରିବାର ବେଳ

ଇନ୍ଦ୍ରଧନୁ ତ ଧୂସର ହେଲାଣି କେବେଠାରୁ

ଏବେ ଏବେ ବର୍ଷା ଛିଗୁଲାଇ ହୁଏ ମୋ ପାରିଲା ପଣକୁ

ଫଗୁଣ ଖତେଇ ହୁଏ ମୋ ଇତସ୍ତତଃ ଭାବନା ସବୁକୁ

ମୁଁ କିନ୍ତୁ ନିରୁପାୟ ସନ୍ୟାସୀଟେ ପରି

ଛିଡା ହୋଇଛି ରଙ୍ଗହୀନ ଗୋଧୂଳି ପୃଷ୍ଠରେ

କିଛି ଇଛା ଟାଣୁଛି ପଛକୁ

କିନ୍ତୁ ମୋ ଉଦାସୀନତାରେ ମୁଁ ଧାଉଁଛି ଆଗକୁ। 


ଏବେ ଏବେ କଲମ ଝୁରିବସେ ମୋତେ

ମୁଁ ବି ତାକୁ ବାଛି ନେଇଛି ମୋ ଅନ୍ତରଙ୍ଗ ସାଥିଟିଏ ପରି

କିନ୍ତୁ ସ୍ୟାହି ସବୁ ରକ୍ତ ହୋଇ ଝରିଗଲା ପରେ

ଏବେ ଆଉ ବା କି କବିତା ଲେଖିବି କୁହତ !

ମନ ଓ ମସ୍ତିଷ୍କ ଭିତରେ ଯେଉଁଠି 

ନାହିଁ ଆଉ ସାମଞ୍ଜସ୍ୟ ଆଗଭଳି ଆଙ୍ଗୁଳିରେ ଶକ୍ତି

କିପରି ଲେଖିବି କୁହ ଢଳୁଥିବା ସଞ୍ଜର ବେଦନା

କିପରି ଗାଇବି କୁହ ଗୋଧୂଳିର ଅବ୍ୟକ୍ତ ଯନ୍ତ୍ରଣା

ରାତିଟିଏ ଆସେନା ଖାଲି ଅନ୍ଧାରର କଳା ରଙ୍ଗ ନେଇ

ରାତି ଆସେ ଏକ ପୂର୍ଣ୍ଣଚ୍ଛେଦ ନେଇ

ଯାହା ପରେ ଆଉ ନଥାଏ ସେ ମିଛ ଆଲୋକର

ଯେତେ ସବୁ ଜଟିଳ ଓ ଅସହ୍ୟ ଗଞ୍ଜଣା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract