କବିତା - ବୟସ୍କ ବିବେକ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୬-୨୦୨୫
କାଳି ଅନ୍ଧାର ସରୁ କି ନ ସରୁ
ଆରମ୍ଭ ହୋଇଗଲା
ଟୁପୁର୍ ଟାପୁର୍
ଅନବରତ ବାରିଧାରା
ଆଦ୍ୟ ଆଷାଢ଼ର ଝୁମୁର୍ ଝାମୁର୍
କୁଣ୍ଡା ଝଡ଼ାଠାରୁ ବଡ଼
ବରକୋଳିଆ ଠାରୁ ସାନ
ଅନନ୍ତ ଆକାଶରୁ ଖାଲି ଖସୁଥିଲା
ଟପର୍ ଟାପର୍
ନିତିଦିନିଆ ସକାଳ ବୁଲା ଅଭ୍ୟାସ
ଭଣ୍ଡୁର କରିବାକୁ ଅଇଲା ବୋଧେ
ଫଟର୍ ଫାଟର୍
ଅଳପେଇସିଆ ଅଖାଡୁଆ ଆଷାଢ଼
ପତ୍ର ଗହଳୁ ଖାଲି ଶୁଭୁଥିଲା
ପଟର୍ ପାଟର୍
ଆଷାଢ଼ର ପହିଲି ବର୍ଷାର ଜିଦ୍
କୁଟୁର୍ କାଟର୍
ଆଠକାଳି ବାରମାସିଆ ପାଦଚଲା ଅଭ୍ୟାସ
ଭୁଡୁର୍ ଭାଡ଼ର୍
ବେଶ୍ କେଇ ମିନିଟର ରଞ୍ଜଘସ ପରେ
ବାହାରି ପଡିଲି ଦାଣ୍ଡକୁ ଏକା
ହାତରେ ରୋଲ୍ ବାଡି ଧରି
ଠୁକୁର୍ ଠାକର୍
ଆଗ ବି ଜନଶୂନ୍ୟ
ପଛ ବି ଶୂନ୍ ଶାନ୍ ନିଶୂନ୍ ପଦଚିହ୍ନ
ନାହିଁ ମଟର୍ ମାଟର୍
କେଇ ପାହୁଣ୍ଡ ଚାଲିଲା ପରେ
ମନରେ ଆସିଲା ଇଚ୍ଛା ଜୁଆର
ଉଲୁସେଇଲା ଉସୁକେଇଲା ବାରମ୍ବାର
ରିମ୍ ଝିମ୍ ବର୍ଷାର ସୁବର୍ଣ୍ଣ ଆସର
ଟିକେ ଭିଜିଗଲେ
ଦୁଇ ଆଞ୍ଜୁଳା ବର୍ଷା ପାଣି ପାଟିରେ ପୁରେଇ
ଫୁଙ୍କି ଦେଲେ
ଫୁ ଫୁ କରି ଫିଙ୍ଗିଲେ
ସକାଳ ସୁଯୋଗଟା ଲାଗନ୍ତା କଚେବାର
ଫୁରୁର୍ ଫାରର୍
ପୁଣି ଡ଼ର ବି ଲାଗିଲା
ବୟସ୍କ ବୟସ ଡରେଇଦେଲା
କାନମୁଣ୍ଡା ନସର୍ ପସର୍
ପ୍ରଥମ ବର୍ଷାରେ ଭିଜିଲେ କାଳେ
ଥଣ୍ଡା ସର୍ଦ୍ଦି କାଶ ଜ୍ୱର
ଅବଶ୍ୟ ଧରିବ ଲଗାତାର
ପୁଣି ଫେରନ୍ତା କରୋନାର ତୁଣ୍ଡି ବନ୍ଧା ଜହର
ଶରୀର ପିଡ଼ା
ସହ ମୁଣ୍ଡା ବିନ୍ଧା ପଥି ଔଷଧ ଧରାବନ୍ଧା
କେତେ ଫାନ୍ଦ ଫିକର
କେତେ ଆଷାଢ଼ ଶ୍ରାବଣ ଦେଖିଛି
ଖାତିର ନ କରି
ତିନ୍ତିଛି ଭିଜିଛି ଛିଙ୍କିଛି
ଗୀତ ଗାଇ ନାଚିଛି
ପଖିଆ ଘୋଡି ମାଛ ଧରିଛି
କାଗଜ ଡ଼ଙ୍ଗା ଭସେଇ ଭସେଇ
କଚାଡ଼ି ପଡିଛି
ପାଣି କାଦୁଅ ଜୁଡୁ ବୁଡୁ ଧାଇଁଛି
ଚପଲ ଛଟା କାଦୁଅରେ
ଓଦା ସରସର ଦେହରେ
ଲୁଚି ଘରକୁ ଫେରିଛି
ମିଠା ଗାଳି କାନମୋଡ଼ା ମାଡ ଖାଇଛି
ତଥାପି ବାଲ୍ୟ ଚପଳ ଉତ୍ସୁକତା
ଆଜି ମନ ତଳେ ଉଙ୍କିମାରି କହୁଛି
ଭିଜି ଯା ବରଷାରେ ଶେଷ ଥର
କିଏ କହିବ
କେତେ ଦିନ ଆଉ ରହିଛି ଆୟୁଷ
ମାଟି ଘଟରେ ତୋର
ପଛରୁ ବାଲ୍ୟ ବନ୍ଧୁ ଅଜୟର କୁହାଟ
କାନରେ ପଡ଼ୁଥିଲା ରହି ରହି ଶିଥିଳ ଆକଟ
ବର୍ଷା ବି ଆସିବ ଆର ସନ କୁ
ଆଷାଢ଼ ଶ୍ରାବଣ ବର୍ଷିବ ଘନ ଘନ
ଫି ବର୍ଷକୁ ଋତୁ ସମ୍ଭାରକୁ
ସମ୍ଭାଳି ନେ ନିଜକୁ ଆଜି
ସମୟ ଟା ବହୁତ ଖରାପ ଚାଲିଛି
ସମସ୍ୟାକୁ କାହିଁକି ଡାକି ଆଣୁଛୁ ଅକାର୍ଡି ପାଜି
ପୁଣି ନୀତିବାଣୀ ଶୁଣେଇ ଦେଲା
ପାଖକୁ ଆସି କହୁ କହୁ ଚାଲୁଥିଲା
ଅବଶ୍ୟ ବୁଲେଇ ବଙ୍କେଇ
ଗୁଡେଇ ମୋଡେଇ
ମଞ୍ଜି କଥା କହି ଆଗରେ ଗାର ଟାଣି ଦେଲା
"ସମସ୍ୟା ରହିବ କୋଶେ ଦୂର
ବୁଝି ବିଚାରି କାର୍ଯ୍ୟ କର
ସମସ୍ୟା ହାରିବ ଫେରିବ ତର
ବିବେକ ପଚାରି ନିଷ୍ପତ୍ତି ତୋର "
ଖୁବ୍ ଚମତ୍କାର ଔଷଧ
ବିବେକ ବୁଝିଗଲା ବ୍ରେକ୍ ଲଗେଇ ଦେଲା
ମନ ନିମିଷକେ ମାନିନେଲା ସମ୍ଭାଳି ନେଲା
ଅଭ୍ୟାସ ବି ଲାଙ୍ଗୁଡ଼ ଯାକି ପଛକୁ ଘୁଞ୍ଚିଗଲା
ବୟସ୍କ ବୟସ ବିଚରା
ଚୁପ୍ ଚାପ୍ ହେଉ ହେଉ
ଧାରେ ହସରେ
ଉତ୍ସୁକ ଭରା ଇଛାକୁ ତାଲା ଲଗେଇ ଦେଲା
ଆଶ୍ଚର୍ଯ୍ୟ ହେବାର କଥା ହେଲା
ସିନ୍ଦୁରା ଫାଟି ଗଲାଣି
ଛାତ ତଳୁ
ଛଡା ତଳୁ
ଚାଳ ତଳୁ
ଚକ୍ରବାଳ ତଳୁ
କତିପୟ ଉପଭୋଗ କରୁଥିଲେ
ଆଦ୍ୟ ଆଷାଢ଼ର ବାରିପାତ
ଅଥଚ
ମୁଁ ଫେରୁଥିଲି ଘରମୁହାଁ
ନିଜକୁ ସମ୍ଭାଳି ନେବାର ଅପୂର୍ବ ପଦପାତ |