ବଉଳ
ବଉଳ


ବଉଳ ହେ ବଉଳ ଦେଖୁଛ କି ଆମ୍ବଡାଳ
ବଉଳ ଫୁଲରେ ହୋଇଛି ମାଖି,
ପତର ଯାଇଛି ଲୁଚି ବଉଳ ପେନ୍ଥା ଝୁଲୁଛି
କେତେ ମିତ ଙ୍କର ଏହି ତ ସାକ୍ଷୀ ।
ବଉଳ ଫୁଲ ସୁଗନ୍ଧ ଚଉଦିଗେ ବହେ ମନ୍ଦ
ମନ ପ୍ରାଣେ ଭରି ଦେଇ ଅମୃତ,
ଏଥିପାଇଁ ପିଲାବେଳେ ସ୍କୁଲ ପାଖ ଗଛ ତଳେ
ବଉଳ କୁ ସାକ୍ଷୀ କରି ବସିଲେ ମିତ ।
ଏକ ସଙ୍ଗେ ପଢୁ ବସି ସେଦିନର ହସଖୁସି
ମନେପଡେ ସବୁ କିଛି ଟିକିନିଖି,
ଗୋଟିଏ ଆମ୍ବ କଶି ପାଇ ଆମେ ହେଉ ଖୁସି
ଭାଗକରି ଖାଉଥିଲେ ଲବଣ ମାଖି ।
ତେନ୍ତୁଳି ପତର ଛେଚି ଲୁଣ ଟିକେ ଦେଇ ସିଞ୍ଛି
ଲୁଚି ବସି ଖାଉଥିଲେ ଚାଟିଚାଟି,
ବଉଳ ବଉଳ ଡାକ  
; ମନରେ ଥାଏ ସଉକ
ଏକ ସଙ୍ଗେ ଜୀବନଟା ଯିବକି କଟି ।
ମଣିଷର ଏ ପ୍ରବୃତ୍ତି ଭୂଲା ମନ ଭୁଲା ପ୍ରୀତି
ସେଦିନ ତ ଆମେ ନ ଥିଲେ ଜାଣି,
ଦେଖ ପ୍ରକୃତି ରହସ୍ୟ ତା ମନେ ନ ଥାଏ ଦ୍ବେଷ
ଋତୁଚକ୍ର ଆଉ ବରଷା ପାଣି ।
ସଭିଏଁ ନିୟମେ ବନ୍ଧା ଯେ ଯାହାର ତାଳେ ଛନ୍ଦା
ବିମୁଖ ହୋଇନି କେବେ ପ୍ରକୃତି ରାଣୀ,
ମଣିଷ ତ ଭୁଲାମନା ବିଷୟ ବସ୍ତୁ ବାସନା
ଆମେ ସବୁ ଦିଗହଜା ପକ୍ଷୀ ପକ୍ଷିଣୀ ।
ଏବେବି ଆସେ ବଉଳ ଭରି ଦେଇ ଆମ୍ବ ଡାଳ
ଆମେ କିନ୍ତୁ ଦିଗହରା ବିହଙ୍ଗ ହେଲେ,
ସେ ମିତ୍ରତା ଆଉ କାହିଁ ଯେ ଯାହାର ସ୍ବାର୍ଥ ପାଇଁ
ଜୀବନର ରାହା ଆମେ ବାଛିଲେ ।