STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ବସନ୍ତ ବର୍ଣ୍ଣାଳି

ବସନ୍ତ ବର୍ଣ୍ଣାଳି

1 min
338


ବସନ୍ତ ଆସିଲା ବୋଲି, ପତ୍ର ଗହଳେ କୋଇଲି,

ପଞ୍ଚମ ତାନରେ ଗାଏ ଗୀତ, 

ଚନ୍ଦନ ବନୁ ମଳୟ, ଅଧିରେ ହୋଇ ତନ୍ମୟ,

ଦଶଦିଶେ ହେଲା ପ୍ରବାହିତ,ହେ ସୁଜ୍ଞନର,

ରୁତୁରାଜା ଙ୍କର ଆଗମନ,

ପ୍ରକୃତି କି ରମଣୀୟ ସୌମ୍ୟ,

ଦୃଶ୍ୟ ଦିଶଇ କି ତୋରା, ରଙ୍ଗ-ରୋଷଣୀ ପସରା,

ରୂପ ନିନ୍ଦେ କୋଟିଏ ମଦନ,ହେ ।


ଶିତ ତାମସୀ ରଜନୀ, ଅନ୍ତେ ଫୁଟିଲା ପଦ୍ମିନୀ,

ସରସୀ ଜଳରେ ରାଜ ହଂସ,

କରେ ମୃଣାଳ ସନ୍ଧାନ, ହଂସିନୀ ମେଳେ ମଗନ, 

ରଚେ ପ୍ରେମମୟ ପ୍ରେମରସ,ହେ ସୁଜ୍ଞନର,

ଭୃଙ୍ଗ ଗୁଣୁଗୁଣୁ ତାନ ତୋଳି,

ଗାନେ ମହୀ ପଡୁଛି ଉଛୁଳି,

ବୀଣା ବାଦନ ସମାନ, ସୁଭଗ ସୁହାଗ ତାନ

ଫୁଲରୁ ଲୁଟଇ ମଧୁ ଅଳି,ହେ ।


ମହୀରୁହ ଅଙ୍ଗେ ଲତା, ନବ ପଲ୍ଲବେ ଶୋଭିତା,

ମଞ୍ଜୁଳ କୁସୁମ ବିକଶିତ,

ମଧୁ ସଉରଭ ଭରା, କୃଷ୍ଣଚୂଡ଼ା ମନୋହରା,

ଶାଳ୍ମଳୀ ପଳାଶ ହରେ ଚିତ୍ତ,ହେ ସୁଜ୍ଞନର,

ମନୋରମ ଦୃଶ୍ୟ ରେ ବସନ୍ତ,

ଧରଣୀ ରେ ଆସି ଉପଗତ,

ବସ୍ତ୍ର ପୁଷ୍ପ ନାନାବର୍ଣ୍ଣି, ପରିହିତେ ସୀମନ୍ତିନୀ 

କରୁଛି କି ବସନ୍ତେ ସ୍ଵାଗତ,ହେ ।


ପ୍ରେମ ପ୍ରଭାମୟ“ଚୋରା, ବସନ୍ତ”ବର୍ଣ୍ଣାଳି ତୋରା,

ବିଜେ କଲେ ଦେବୀ ସରସ୍ଵତୀ,

ଫୁଲେଇ ଫଗୁଣ ରଙ୍ଗେ, ଅବିର ରଙ୍ଗ ତରଙ୍ଗେ,

ଦୋଳେ ରାଧା ମାଧବ ଆସନ୍ତି, ହେ ସୁଜ୍ଞନର,

ବାସନ୍ତୀକା ଦୁର୍ଗା ଆବାହନୀ,

ପୂତ ମନ୍ତ୍ରେ ପବିତ୍ର ଧରଣୀ,

ସତେକି ଅଳକା ପୁରୀ, ମର୍ତ୍ତ୍ୟ ମଣ୍ଡଳେ ବିହରି,

ସ୍ଵାଗତୁଛି କୈଳାଶ ବାସିନୀ,ହେ ।


ପ୍ରକୃତି ଶାନ୍ତି ରାଜତ୍ଵ, କରି ଆସିଲା ବସନ୍ତ,

“ଚିତ୍ରାତୀତ” ଚିତ୍ରକୁ ସଜାଇ,

ଜାଇ,ଯୁଇ,ମଲ୍ଲୀ ହେନା, ବିମୁଗ୍ଧେ କରେ ବନ୍ଦନା,

ବର୍ଣ୍ଣାଳି ର ଛବି ଆଙ୍କି ଦେଇ,ହେ ସୁଜ୍ଞନର,

ଶୋଭା ଦିଶେ ଅପୂର୍ବ ଅପାର,

ତ୍ରିଭୂବନେ ନାହିଁ ପଟାନ୍ତର,

ଆନନ୍ଦ ହର୍ଷ ରୋଳରେ, ମନ ମଗ୍ନ ବସନ୍ତ ରେ,

ଉପଭୋଗେ ଅମୀୟ ସମ୍ଭାର,ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics