ବସାନା ଏମିତି ହାଟ
ବସାନା ଏମିତି ହାଟ
ଏବେ ପଚାରୁଛୁ ହସିକରି ମୋତେ
ନାନୀ ଗୋ କେମିତି ଅଛ,
ପଛରେ ମୋ ନାମେ ୟା ତା' ଆଗରେ
କହୁଛୁ ହଜାରେ ମିଛ।
ଭାବୁନାହୁଁ ଆଗପଛ;
ଚିହ୍ନିଛି-ତୁ ଜମା ତୁଳସୀ ନୁହଁ ଲୋ
ଗୋଟେ ବିଛୁଆତି ଗଛ !
ସେଦିନ ମୋ ଦେହ ଭଲ ନାହିଁ ଜାଣି
କହିଲୁ ଉପରେ ପଡ଼ି,
ସାହାଯ୍ୟ ଏଇନେ କରିଦ୍ୟନ୍ତି ହେଲେ
ଝିଅ କାନ୍ଦିଲାଣି ଗଡ଼ି ।
ଗାଳି କଲୁ କାନ ମୋଡ଼ି;
"ଖାଇବି ଖାଇବି କେତେ ହେଉଛୁ ଲୋ
ଦେବି ତୋର ଦାନ୍ତ ଝାଡ଼ି ।"
ମାରେନା କହି ମୁଢ଼ି ବିସୁକୁଟୁ
ଦେଲି ତାକୁ ଖାଇବାକୁ,
ତରକାରୀ ଗିନେ ନେଇକି ତୁ ଗଲୁ
ଜଣାଇନି ମୁଁ କାହାକୁ ।
କହିଲୁ ଯାଇ ଲିସାକୁ;
ମୁଁ କାଳେ ତୋତେ ଚୋରଣୀ ବୋଲିକି
କହୁଅଛି ୟାକୁ ତାକୁ ।
ସୋନୀଠି କହିଲୁ, ଦୀପୁ ମାଆ ତୋତେ
କହୁଥିଲା କଳିହୁଡ଼ି,
ସ୍ୱାମୀକୁ ରଖିଛୁ ବଶ କରିକି ପା'
ଶାଶୁ ଶ୍ବଶୁରଙ୍କୁ ତଡ଼ି ।
ଥିଲା ବେଳ ଦୁଇଘଡ଼ି;
ଆସିକି ସେ ମୋତେ ପଚାରିବା ଆଗୁଁ
ଦେଲା ଦୁଇପଦ ଝାଡ଼ି ।
ପରେ ବୁଝିଲି ମୁଁ ସବୁକଥା ତା'ଠୁଁ
ତୋହର ଏତେକ ନାଟ,
ସୁମତି ବୋଲିକି ନାଆଁ ପାଇଅଛୁ
ଧରୁ କିଆଁ ମନ୍ଦ ବାଟ ।
ପୂରୁଛି କି ତୋର ପେଟ;
ସମସ୍ତଙ୍କ ଭଲ ଚିନ୍ତାରେ ରହ ଲୋ
ବସାନା ଏମିତି ହାଟ ।
କେତେ ପୁଣ୍ୟ ବଳେ ମଣିଷ ଜନମ
ଦେଇଛନ୍ତି ପରା ସାଇଁ,
ବିବେକ ଗୋଟିଏ ଦେଇ ଅଛନ୍ତି ବି
ଭଲ ମନ୍ଦ ବଛା ପାଇଁ ।
ସେତକ ତୋ ଠାରେ ନାଇଁ;
ବୁଝିପାରୁନି ତୁ କି ସୁଖ ପାଉଛୁ
ଦେଖା ତାକୁ, ଅଛି କାଇଁ !
ଅନ୍ୟ ସୁଖେ ଦୁଃଖେ ଭାଗୀ ହୋଇ ଯଦି
ବିତାଇ ଦିଅନ୍ତୁ ଦିନ,
ତାହାହେଲେ କେତେ ଭଲ ହୁଅନ୍ତା ଲୋ
ଜିଣନ୍ତୁ ସଭିଙ୍କ ମନ ।
ମୋ ଠାରୁ ହେଲେ ବି ସାନ;
ଚାଲାକ ତୁ ଭାରି ବିଚାର ଏ କଥା
କୁଣ୍ଡାଅନା ଆଉ କାନ ।
ଦୀପୁ ମାଆ କଥା ଶୁଣିକି ସୁମତି
କହିଲା, "ମାନୁଛି ଦୋଷ,
ଏଣିକି ସଭିଙ୍କ ଭଲ ଚିନ୍ତା କରି
ବିତାଇବି ଦିନ ମାସ ।
କପଟ କରିଲି ଶେଷ;
ଆପଣାର ସର୍ବେ ପର ନୁହଁନ୍ତି ଗୋ
ବାଣ୍ଟିବି ସଭିଙ୍କୁ ହସ ।"