ବ୍ରତ
ବ୍ରତ
🙏🙏ବ୍ରତ🙏🙏
********ଅପର୍ତ୍ତି ସେଠୀ
ପୂଜା ପରବ ବ୍ରତ ଉପାସ
ଯେତେ କରୁଥା ତୁହି,
ପିତାମାତାଙ୍କୁ ନ ସେବୁ ଯଦି
ସବୁ ବେକାର ଭାଇ।
ଆଇଁଷେ ମନ ବ୍ରତ ପାଳନ
ଏ କେଉଁ କଥା କହ,
ଜୀବରେ ଯଦି ଦୟା ନ କଲୁ
ବ୍ରତ ନାଆଁ ନ ଧ'।
ଅନ୍ୟର ଶିରୀ ନ ଦେଖିପାରି
କି ଲାଭ ବ୍ରତ କରି,
ଅହିଂସା ବ୍ରତ ଯଦି ନ ପାଳୁ
ହେବୁ କେମିତି ପାରି?
ହିଂସା କପଟ ରାଗ ବିଦ୍ଵୈଷ
ମାନ କି ଅଭିମାନ,
ଏ ସବୁ ଗଣ୍ଠିଧନ କରିଲେ
ବ୍ରତଟି ମୂଲ୍ୟହୀନ।
ସୁଦଶା ବ୍ରତ ସାବିତ୍ରୀ ବ୍ରତ
କର କି ଏକାଦଶୀ,
ସ୍ବାମୀ ଭକତି ନ ଥାଏ ଯଦି
ବ୍ରତରେ ନାହିଁ କିଛି।
ମନେ କଳ୍ପନା ସ୍ବାର୍ଥ କାମନା
ମାନସିକତା ନେଇ,
ଆଜିକାଲିକା ବ୍ରତ ଉପାସ
ଲୋକ ଦେଖଣା ପାଇଁ।
ସ୍ନାନ ଶଉଚ୍ଚ ଶୁଭର ବସ୍ତ୍ର
ଖାଇ ହବିଷ୍ଯ ଅନ୍ନ,
ଅନ୍ତରେ ସଫା ନାହିଁ ତ ଯଦି
ସେ ବ୍ରତ ମୂଲ୍ୟହୀନ।
ପିନ୍ଧି ଗେରୁଆ ଖାଇ ଅରୁଆ
ହସ୍ତରେ ଜପାମାଳି,
ଧରି ବାବାଜୀ ମାତାଜୀ ବେଶେ
ବ୍ରତକୁ ଅନୁସରି।
ସେଥିରେ କିଛି ଲାଭ ମିଳେନା
ପରୋପକାର ବିନା,
ଜୀବରେ ଦୟା ନାମେ ବିଶ୍ଵାସ
ଅସଲ ବ୍ରତ ସିନା।
ଅହିଂସା ସତ୍ୟ ପରମ ବ୍ରତ
ଆଉ ତ ବ୍ରତ ନାହିଁ,
ବିଶ୍ଵକଲ୍ଯାଣ ଶ୍ରେଷ୍ଠ ସାଧନ
ଯେ କରେ ତରେ ସେହି।
ବ୍ରତ ଶବ୍ଦଟି ପବିତ୍ର ଅତି
ମଙ୍ଗଳ ତପସ୍ୟାଟି,
ବ୍ରତ ଆଚରି ସତ୍ୟ ପ୍ରଚାରି
ହେଳେ ପାଇବ ମୁକ୍ତି।
ତେଣୁ ହେ ବାବୁ ଭଲ ହେବାକୁ
ଜୀବନେ ରଖ ବ୍ରତ,
ସଦଭାବନା ସିଦ୍ଧି ସାଧନେ
ବୈକୁଣ୍ଠ ପରାପତ।
ମାଆ ଯେସନେ ପୁତ୍ର କଲ୍ଯାଣେ
ବ୍ରତ ଉପାସ କରେ,
ସେମିତି ବ୍ରତ ସାଧନ ହିତ
ଯେ ପର ଉପକାରେ ।
