ବର୍ଷାଋତୁ
ବର୍ଷାଋତୁ
ଗ୍ରୀଷ୍ମଋତୁ ଅନ୍ତେ ବର୍ଷାଋତୁ ପ୍ରବେଶିଲା,
ରବିତେଜ ତ୍ରାସେ ଅଷ୍ଟମାସ ତପ୍ତ ଥିଲା।
ଅବନୀର ଦୁଃଖ ଦେଖି,
ଜଳ ଛାଡ଼ିଲାକ ମନେ ହୋଇ ମହାସୁଖି ।।୧।।
ମେଘ ମାଳ ଗର୍ଜିଣ ବର୍ଷନ୍ତି ବହୁ ଜଳ,
ଚାରି ଖାନି ଜୀବ ପାଇଁ ହୋଇଲା ମଙ୍ଗଳ ।
କରୁଣା ଚିତ୍ତେ ବରଷି,
ସନ୍ତୁଷ୍ଟ ହୋଇଲା ପୃଥ୍ବୀ ଲଭି ଜଳରାଶି ।।୨।।
ବୃକ୍ଷେ ପତ୍ର ନାହିଁ ସର୍ବଆଡ଼େ ଧୁଲିପୂର୍ଣ୍ଣ
ମେଘ ବର୍ଷି ନିର୍ମଳ କରିଲା ମହୀ ଜାଣ ।
କ୍ରୋଧଧର୍ମ ଦୂର କରେ,
ସ୍ଵଚ୍ଛ କରିଦେଲା ବର୍ଷା ପଡିଭୂମି ପରେ ।।୩।।
ତପସ୍ଵି ଯେସନେ ତପସ୍ୟାରେ ରତ ଥାଏ,
ତପସ୍ୟା ଫଳ ପାଇଲେ ସନ୍ତୁଷ୍ଟ ସେ ହୁଏ ।
ଫଳ ଭୁଞ୍ଜି ସୁଖି ହୁଏ,
ସେହିମତେ ପୃଥ୍ଵୀ ଦେବୀ ଦୁଃଖ ଦୁର ଯାଏ ।I୪II
ଖଦ୍ୟୋତ କୀଟ ଆଲୋକ ଦିଏ ନିଶା କାଳେ,
ମଣ୍ଡୁକିଗଣ ନାଦନ୍ତି ମେଘନାଦ ହେଲେ ।
ବିଦ୍ୟାର୍ଥି ଯେନ ପ୍ରକାରେ,
ବିଦ୍ୟାପାଠ କରୁଥାଏ ଆନନ୍ଦ ମନରେ ।।୫।।
ନଦୀଏ ଲହରୀ ଘେନି ଉଛୁଲି ଉଠିଲେ,
ଛତୁଯେ ଛତ୍ରକ ପ୍ରାୟ ଶୋଭା ବଢ଼ାଇଲେ ।
ତୃଣରେ ଇନ୍ଦ୍ରଗୋପ ମିଶି,
ଯେସନେ ରାଜାର ସୈନ୍ୟବଳ ପ୍ରାୟ ଦିଶି ।।୬। ।
ଜଳ ପ୍ରବାହରେ ବନ୍ଧବାଡ ଭାଙ୍ଗିଗଲା,
ଚଷାକୁଳ ଚାଷ ଜମି ନଷ୍ଟ ହୋଇଗଲା ।
ଯେସନେକ ପୁତ୍ର ଦୁଷ୍ଟ,
କୂଳ କୁଟୁମ୍ବର ଧର୍ମ ସେହିକରେ ନଷ୍ଟ ।।୭। ।
ମନୁଷ୍ୟକୁ ଦିବ୍ୟଜ୍ଞାନ ଯେବେ ପ୍ରାପ୍ତ ହୁଏ,
ବିଷୟା ରସରୁ ସିଏ ନିବୃତ ଯେ ହୁଏ ।
ଜ୍ଞାନ ନଷ୍ଟ କୁ -ସଙ୍ଗରେ,
ଜ୍ଞାନ ଉଦେ ହୁଏ ପୁଣି ସୁସଙ୍ଗ ଜନରେ ।।୮ ।।
ଶସ୍ୟ ଶ୍ୟାମଳାରେ ପୁରି ଉଠିଲା ଧରଣୀ,
ବୃକ୍ଷେ ପତ୍ର ଫଳଫୁଲ ହୋଇଲା ତକ୍ଷଣି ।
ପାଇ ଉତ୍ତମ ରାଜାକୁ,
ପ୍ରଜା ଯେସନେକ ଖୁସି ହୁଅନ୍ତି ମନକୁ ।।୯।।
ନାନା ଶସ୍ୟ ସଂପଦରେ ଉଛୁଲିଲା ମହୀ,
କୃଷକ ଦେଖିଣ ତାହା ଆନନ୍ଦିତ ହୋଇ ।
ଅଶେଷ ଜୀବଜଗତ,
ଜଳପାଇ ସର୍ବପ୍ରାଣୀ ମନେ ଆନନ୍ଦିତ ।।୧୦।।