STORYMIRROR

sushama Parija

Inspirational

2  

sushama Parija

Inspirational

ବର୍ଷା

ବର୍ଷା

2 mins
14.4K


ବର୍ଷା ଆସେ ପୃଥବୀକୁ ବରବେଶ ହୋଇ

ଧୂଷର ରଙ୍ଗର ମେଘ ମେଦୁର ଆକାଶରେ

ମାଳ ମାଳ ଭସା ବାଦଲର ପାଲିଙ୍କିରେ ବସି,

ବାଣ ରୋଷଣୀର ଚମକରେ ଚତୁର୍ଦ୍ଦିଗ ଝଲସାଇ ,

ଅମାନିଆଁ ପବନଟା ଢାଳୁଥାଏ ଆଲଟ ଚାମର

ଏଇ ଅଳ୍ପ ଦିନ ତଳେ ଋତୁମତୀ ହୋଇଥିବା

ବରପୂର୍ବା ଧରିତ୍ରୀ ସହିତ ଶୁଭପରିଣୟ ତା'ର ।

ସବୁଜ ରଙ୍ଗର ଶାଢୀ ପିନ୍ଧି ବସିଛି ଧରିତ୍ରୀ

ନିଜକୁ ସଜ୍ଜିତ କରିଛି ଧବଳ ରଙ୍ଗର ଅନେକ ଫୁଲରେ,

ମେଞ୍ଚା ମେଞ୍ଚା ମଲ୍ଲୀର ଗଜରାରେ ସଜାଇଛି କବରୀ,

ସୁନ୍ଦର କୃଷ୍ଣଚୂଡ଼ାର ଲାଲ୍ ଓଢଣୀଟି ଟାଣିଛି ମଥାରେ,

ମନରେ ପ୍ରିୟ ମିଳନର ଅଦମ୍ୟ ଲାଳସାକୁ ସାଇତି ରଖିଛି

ସମର୍ପଣର ଭାବନାରେ ସାଜିଛି ରମ୍ୟା ଅଭିସାରିକା

ଆମ୍ବ , ପଣସ ,ସପୁରୀ ଭଳି ନାନାଦି ରସାଳ ଫଳର ସମ୍ଭାର

ସଜାଡି ରଖିଛି ପ୍ରିୟର ମନକୁ ଆହୁରି ରସମୟ କରିବା ଲାଗି

ଭାବରେ ବିଭୋର ଧରିତ୍ରୀ ପିୟାସୀ ପ୍ରିତୀଲଗ୍ନା ସାଜିଛି ।

ବର୍ଷା ବୀର ଦର୍ପରେ ଦୋହଲି ଦୋହଲି ଆସୁଛି,

ଆପଣା ପ୍ରେମରେ ଭିଜେଇ ଦେବ ଧରିତ୍ରୀକୁ ,

ପ୍ରିତୀଲଗ୍ନା କରି ତା'ର ମିଳନର ତୃଷ୍ଣା ମେଣ୍ଟାଇଦେବ

ନିଜର ଅବାରିତ ପ୍ରେମଧାରାରେ ସୁଶୀତଳ କରିଦେବ

ଦାରୁଣ ନିଦାଘର ଯେତେ ସବୁ ଦଂଶନର ଜ୍ବାଳା,

ତୃଷାର୍ତ୍ତ କଣ୍ଠରେ ତା'ର ଢାଳି ଦେବ ସ୍ନିଗ୍ଧ ବାରିଧାରା

ପ୍ରିୟା ପାଇଁ ସାଥୀରେ ଆଣିଛି ସେ ଅନେକ ପ୍ରତିଶ୍ରୁତି,

ତା' ର ପ୍ରଣୟୀ ଆଖିରେ ଅଛି ଅମୃତର ଅସୁମାରୀ ସ୍ୱପ୍ନ

ନିଜର ଅସୀମ ପ୍ରଣୟ ଫାଶରେ ବାନ୍ଧି ରଖିବ ପ୍ରିୟାର ମନ,

ସଫଳ ମାତୃତ୍ବ ଦେଇ ବସୁମତୀକୁ ରତ୍ନଗର୍ଭା କରିବ ,

ସନ୍ତାନଙ୍କ ସୁପୋଷଣ ଲାଗି ଧରିତ୍ରୀକୁ କରିଦେବ

ସୁଜଳା , ସୁଫଳା,ଶସ୍ୟ ଶ୍ୟାମଳା ଫଳ ପୁଷ୍ପ ପୂର୍ଣ୍ଣା

ସନ୍ତାନ ମାନଙ୍କୁ ପାଳନ ପୋଷଣ କରି ହେବ ସିଏ ଧନ୍ୟା ।

କିନ୍ତୁ ..... ପ୍ରକୃତିର ହାୟ ଇଏ କି ବିଡମ୍ବନା ?

କିଏ ସେ ? ଯିଏ ହୀନବଳ ହୀନବୀର୍ଯ୍ୟ କରି ଦେଉଛି ବର୍ଷାକୁ

ଯେତେ ଚାହିଁଲେ ବି ସଂପୂର୍ଣ୍ଣ ଭିଜେଇ ପାରୁନି ସେ ଧରିତ୍ରୀକୁ ,

କାହିଁକି ବର୍ଷା କରି ପାରୁନି ଧରିତ୍ରୀକୁ ତା' ପ୍ରେମରେ ରତ୍ନଗର୍ଭା ?

ଧରିତ୍ରୀ ଅତୃପ୍ତ ଜ୍ବାଳାରେ କମ୍ପୁଛି , କେବେ ବର୍ଷାକୁ ଫିଙ୍ଗି ଦେଉଛି

ଭୟଙ୍କର ବନ୍ୟା କରି ତ କେତେବେଳେ ନିଜକୁ ବିଦାରିତ କରୁଛି

ଶୁଖିଲା ଅଭିମାନରେ, ଗର୍ଭସ୍ଥ ଭ୍ରୁଣ ମାନେ ବି କ୍ଷୁଧା ତୃଷାରେ ଆକୁଳିତ

ଜଳବିନା ଚାରିଆଡେ ହାହାକାର, ଭ୍ରୁଣ ସବୁ କରାଳ ମୃତ୍ୟୁର କବଳିତ ।

ସକେଇ କାନ୍ଦୁଛି ଧରିତ୍ରୀ, ବର୍ଷା ବି ଅସହାୟତାର ଦୀର୍ଘ ଶ୍ଵାସ ଛାଡୁଛି ,

କାରଣ ଖୋଜୁଛନ୍ତି ଦିହେଁ ମିଶି, କାହିଁକି ? କାହିଁକି ପ୍ରକୃତିର ଏଇ ଆକ୍ରୋଶ ?

ଧରିତ୍ରୀ କହୁଛି '' ମୋ ସନ୍ତାନ ମାନେ ପ୍ରକୃତିର ବିରୋଧରେ ଗଲେ ,

ସେଥିଲାଗି କ'ଣ ସେମାନଙ୍କୁ ଦଣ୍ଡ ଦେବାଲାଗି ପ୍ରକୃତିର ଏ ନିଷ୍ଠୁର ପ୍ରୟାସ ?''

ସ୍ୱଗତୋକ୍ତି କରୁଛି ବର୍ଷା '' ବୋଧହୁଏ ତାହା ହିଁ ସତ୍ୟ , ଏହା ହିଁ ନିର୍ଯ୍ୟାସ

ଦ୍ଵିତୀୟ ଈଶ୍ବର ହେବାକୁ ଚେଷ୍ଟିତ ମଣିଷଙ୍କର ଅତ୍ୟାଚାରରେ ଅତିଷ୍ଠ

ପ୍ରକୃତି ମାତାର ଇଏ କ୍ଷୁବ୍ଧ ପ୍ରତିବାଦ , ଭବିଷ୍ୟତ ପାଇଁ ଅନୁଶାସନର ଛାଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational