STORYMIRROR

Sagar Kumar Parida

Abstract Others

3  

Sagar Kumar Parida

Abstract Others

ବର୍ଷା

ବର୍ଷା

1 min
28

କଳା ଓଢଣୀକୁ ଆକାଶେ ଉଡାଇ

        ବର୍ଷାରାଣୀ ଆସେ ଧାଇଁ

ଆଷାଢ଼ ଶ୍ରାବଣେ ଧରିତ୍ରୀ ଉପରେ

          ରାଜୁତି କରିବା ପାଇଁ ।।

ବିଜୁଳି ଦେଖାଏ ବର୍ଷାରାଣୀ ପଥ

          ଶଙ୍ଖ ଫୁଙ୍କେ ଘଡଘଡି

ବରଷା ଆଗମ ବାରତା ପାଇଣ

          ବେଙ୍ଗୁଲି ଛାଡ଼ଇ ରଡି ।।

ନୀଳ ଗଗନରେ କଳା ବାଦଲକୁ

         ମୟୁର ମୟୂରୀ ଦେଖି

ପାହାଡ଼ ଶିଖରେ ପୁଚ୍ଛକୁ ମେଲାଇ

         ନୃତ୍ୟରେ ଯାଆନ୍ତି ଲାଖି ।।

ଦୀର୍ଘଦିନ ଅଂଶୁ ତାପରେ ତାପିତ

           ଧରିତ୍ରୀ ମାତାର କୋଳ

ଟୋପା ଟୋପା ବର୍ଷା ଅମୃତପରାୟ

           ବୃକ୍ଷଲତା ପାଏ ବଳ ।।

ସରସି ଗାଡ଼ିଆ ନଦୀ ନାଳ ସର୍ବେ

            ପାଇ ବର୍ଷାରାଣୀ ସ୍ପର୍ଶ

ଉଛୁଳନ୍ତି ଜଳେ ଧରି ଜଳଚରେ

           ନାନା ଜାତି ଜଳ ପୁଷ୍ପ ।।

ସାଧବ ବୋହୁର ଟୁକୁଟୁକୁ ଚାଲି

            ସଭିଁଙ୍କର ମନମୋହେ

 ଜଗନ୍ନାଥଙ୍କର ରଥଟଣା ପର୍ଵ

            ଏହି ସମୟରେ ହୁଏ ।।

ଚାତକ ପକ୍ଷୀର ଆକୁଳ ନିନାଦେ

             ବରଷା ଆସଇ ଧରା

ଶୋଷକୁ ମେଣ୍ଟାଇ ତୁଷାର୍ତ୍ତ ପ୍ରାଣୀଙ୍କ

            ଜୀବନକୁ ରଖେ ପରା ।।

ଚାଷୀ ପୁଅ ପାଇଁ ମଙ୍ଗଳ ସମୟ

           ବରଷା ରାଣୀ ରାଜୁତି

ଶସ୍ଯ ସମ୍ପଦରେ ସବୁଜିମାମୟ

           ହସିଉଠେ ଆମ କ୍ଷିତି ।।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract