ଭୁଲଗ୍ନା ଗଗନ
ଭୁଲଗ୍ନା ଗଗନ
ତା ପାଇଁ ଦିନଟିଏ ନୁହେଁ
ଅପର୍ଯ୍ୟାପ୍ତ ସମଗ୍ର ଜୀବନ
ଯେତେ ଖୋଜେ ସେତେ ରହେ ବାକି
ସେ ଏକ ପରିବ୍ୟାପ୍ତ ଭୁଲଗ୍ନା ଗଗନ।
ଶବ୍ଦରେ ସେ ବନ୍ଧା ନୁହେଁ
ସେ ବାନ୍ଧେ ଶବ୍ଦକୁ ତକ୍ଷଣେ,
ପ୍ରତିଥର ହାରିଯାଏ ଲେଖନୀ ଚାଳକ
ସଂଜ୍ଞା ଦେଇ ତାକୁ ବର୍ଣ୍ଣିବାରେ।
ତା ପାଇଁ ଛୋଟ ରାତି ଦିନ
ଅଣ୍ଟେ ନାହିଁ ଅଖିଳ ଜୀବନ,
ସପନକୁ କି ଦେଖିବ ପୁରେନାହିଁ ନିଦ
ସେ ଏକ ନିତିଦିନ କର୍ମଠ ମରଣ।
ନିଦ ଭାଙ୍ଗେ କଞ୍ଚା ସକାଳରୁ
ଫେରେନାହିଁ ମଧ୍ୟାହ୍ନ ଉତାରୁ,
ବାକି ଯେତେ ପାଇଟିକୁ ସାଉଁଟୁ ସାଉଁଟୁ
ରାତି ସରେ ଶେଜ ପାରୁ ପାରୁ।
ମଥାରେ ତା ବ୍ୟସ୍ତତାର ରେଖା
ଭିଜା ଭିଜା ସ୍ବେଦର କଣିକା,
ଦୀର୍ଘଶ୍ବାସ ହଜିଯାଏ ସମୟର ବିବ୍ରତ ବେଳାରେ
ସେ ଏକ ସଦା ସଜ ଜୀବନ୍ତ ମୃତ୍ତିକା।
ସେ ଛଳଛଳ ଧାରାଟିଏ ପରି
ବହିଯାଏ ଖରେ ଦୁଇକୂଳ ଛୁଇଁ,
ଉତ୍ସ ତାର ବହୁଦୂରେ ରହିଯାଏ ହାତ ଛାଡ଼ିଦେଇ
ସେବଧାଇଁଚାଲେ ଭବିଷ୍ୟର ଶୁନ୍ୟ ସିନ୍ଧୁ ପାଇଁ।
କେବେ ଖଦ୍ୟୋତର ଆଖିରେ ଚମକେ
କେବେ ତାରା ହୋଇ ମିଞ୍ଜି ମିଞ୍ଜି ହୁଏ,
ନିଜେ ଜଳି ବିତରେ ସେ ସୁଧାଂଶୁର ସୁଧା
ସେ ଏକ ଢଳଢଳ ସଳିତାର ଜ୍ୟୋତି ଶିଖାଟିଏ।
ଛାତିରେ ସେ ଜାକିଧରି ଅଙ୍ଗାରରୁ ପୁଞ୍ଜେ
ଓଠରେ ଫୁଟାଏ ହସ ତୁମ ସୁଖ ପାଇଁ,
ସେ ପାଇଁ ଛିଟିକି ପଡ଼େ ନିଆଁ ଝୁଲ କିଛି ଅକାରଣେ
ନିଆଁ ଖୁଣ୍ଟା ପାଏ ତେଣୁ ଦୁର୍ଭାଗ୍ୟକୁ ସହି।
ସହିଲେ ସେ ସଦା ପୂଜନୀୟା
ନିନ୍ଦିତା ସେ ଖୋଲିଲେ ଅଧର,
ଫୁଲ ସମ ଦଳିଦିଏ ନିଷ୍ଠୁର ସମାଜ
ସେଥିପାଇଁ ସାଜେ ସେ ପଥର।
ସୃଷ୍ଟି ହୋଇ ସାଜେ ପୁଣି ସ୍ରଷ୍ଟା
ସୁପୋଷିତ ସମାଜ ତା କୋଳେ,
ତା ଆଖିର ଅନଳରେ ଜଳିପାରେ ନିଖିଳ ଜଗତ
ଈଶ୍ୱରୀ ସେ ଏକମାତ୍ର ଏହି ଧରାପରେ।
