ବର୍ଷା
ବର୍ଷା


ଝରି ଝରି ଆସେ ଜୀବନ ପୀୟୂଷ
ଅନ୍ତରୀକ୍ଷ ଭେଦ କରି,
ଥରି ଥରି ଭିଜେ ତୃଷିତ ଅବନୀ
ଅଧରେ ଉଦକ ଭରି।
ସରି ସରି ଆସେ ବସୁନ୍ଧରା କ୍ଷୁଧା
ବାରିଦ ବାରି ପରଶେ,
ଭରି ଭରି ଆସେ ରୌଦ୍ର ତାପ କ୍ଷତ
କଳାପୀ ନାଚେ ଉଲ୍ଲାସେ।
ଭୁରୁ ଭୁରୁ କରି ମାଟିର ସୁଗନ୍ଧ
ହୃଦ ଦୋହଲାଇ ଦିଏ,
ସୁଲୁ ସୁଲୁ ବହେ ଭିଜା ସମୀରଣ
ପାଷାଣ ତରଳି ଯାଏ।
ଝୁରି ଝୁରି କାନ୍ଦେ ଆକାଂକ୍ଷୀ ତରୁଣୀ
ପ୍ରିୟ ମିଳନର ଆଶେ,
ଥିରି ଥିରି ପାଦ ଥାପି ସେ ନାୟକ
ଉପସ୍ଥିତ ଛଦ୍ମବେଶେ।
ଭିଜି ଭିଜି ସିନା ଅଙ୍କୁରିତ ହୁଏ
ନବ ସମ୍ଭାବନା ରାଶି,
ସିଝି ସିଝି ଯାଏ ଅନ୍ତର ଭାବନା
ବିରହ ନିଆଁରେ ଗ୍ରାସି।