ବର୍ଷା
ବର୍ଷା
ବର୍ଷା ଆସେ ବିଜୁଳିର ଆଲୋକିତ ପଥ ଡେଇଁ
ବାଦଳର ଘଡ଼ ଘଡ଼ି ବାଣ-ରୋଷଣୀ ନେଇ
ବର୍ଷା ଆସେ ସଦ୍ୟସ୍ନାତା ଅଳତା ପୁଟର ମୁରୁଜ ଦେଇ
ପାଉଞ୍ଜିର ଋଣୁଝୁଣୁ କବରୀର ଭୁରୁଭୁରୁ ମହକ ନେଇ ।
ବର୍ଷା ଆସିଲେ ହସେ ତରୁଳତା
ମଇଳା ଧୂଆଁ – ଧୂଳିକୁ ଧୋଇ
ସବୁଜ ରଙ୍ଗର ଅମ୍ବର ଘୋଡେଇ
ଟପ ଟପ ଟୋପାର ସାହାନାଇ ବଜେଇ
ଓଠ ବସ ବସ ଓଠ
କଦମ ତାଳ ଏକ ଦୁଇ କରି ଚାଲିଥାନ୍ତି
ବାର୍ଷିକ ଅଗଷ୍ଟ ୧୫ ବା ଜାନୁୟାରୀ ୨୬ର
ସ୍କୁଲପିଲା ପରି ।
ବର୍ଷା ଆସିଲେ ମଳିନ ଦେଖାଯାଏ
ବାପା-ଦାଦା ଠାକ – ଠାକୁମା ଚେହେରା
କିନ୍ତୁ ସତ୍ୟକୁ ଲୁଚେଇ କୁହନ୍ତି
ପଢୁଆଁ ଝିଅ
ଦୁଇ କୋଳକୁ ଦେବଟି ଘିଅ
କନ୍ୟା ରତନ
ବଂଶକୁ କରିବ ଉଚ୍ଛାସିନ
ମାତ୍ର ! ହସେ ନିରିମାଖୀ ମା’ଟି
ବୋକ ପରେ ବୋକ ଦେଇ ଚାଲିଥାଏ
ମାତୃତ୍ଵର ନୂତନତାର ପୁଲକରେ
ପ୍ରସବ ବେଦନାକୁ ଦୂର କରିଦିଏ
ମା’ ମୋତେ ମାଆ କଲା
ବାଞ୍ଝ ଜଞ୍ଜାଳରୁ ମୁକ୍ତିଦେଲା
କେବେ ବି ଭାବେନା ପୁଣି ଥରେ ଗର୍ଭ ।
ବର୍ଷା ନ ଆସିଲେ ହାହାକାର ହୋଇଯାଏ
ଗଗନେ ପବନେ
ଗ୍ରାମରେ ନଗ୍ରରେ
ଜାଗରଣ-ଯଜ୍ଞ ଲାଗିଯାଏ
ବେଙ୍ଗୁଲୀ ବାହାଘର ସାଙ୍ଗକୁ
ବରୁଣ ଆର୍ଚ୍ଚନା ।
ବର୍ଷା ନ ଆସିଲେ ଟାହି ଟାପରାର ଢୋଲ ସବୁ
ତୁଠ ପଥର ପରି ସହିଜାଏ
କର୍ମକୁ ଆଦରି
ଭାଗ୍ୟକୁ ସାଦରି
ବ୍ରତ-ଉପବାସ ସହିତ
ଦୁଃଖି-ରଙ୍କି ଦାନ-ଦୟା କରି
ମାତ୍ର ଅବୁଝା ମୋ ମନ ବୁଝିପାରେନା
ବର୍ଷା ସହିତ କାହିଁକି ଏ ବିଡମ୍ବନା ?
କିଏ ବା ବର୍ଷା
କିଏ ବା ସୃଷ୍ଟି
ଦୁହେଁ ତ ବିଧାତାର ସର୍ଜନା
ସୃଷ୍ଟିର ପ୍ରଥମ କଳ୍ପନା-ଜଳ୍ପନା ।
ତଥାପି କାହିଁକି
ଜଣେ ଆସିଲେ ହସିଉଠେ ଧରା !
ଜଣେ ଆସିଲେ ମଉଳି ଯାଏ ଆଶା ତାରା !
ଜଣେ ଆସିଲେ ଶସ୍ୟ ଶ୍ୟାମଳା ସୁଜଳାମ୍ ସୁଫଳାମର
ରିମଝିମ୍ ଶୁଭୁଥାଏ ।
ଜଣେ ଆସିଲେ ନିରାଶା ହତାଶାର ଭଗ୍ନାଂଶ ସବୁ
ବେତାଳ ପରି ଗୋଡାଏ ଡୁବାଏ !
କାହିଁକି ? କାହିଁକି ? କାହିଁକି ?