STORYMIRROR

Dambarudhar Bag

Abstract

2  

Dambarudhar Bag

Abstract

ବର୍ଷା ! ତୁମେ କ'ଣ ମୋର ଶତ୍ରୁ ?

ବର୍ଷା ! ତୁମେ କ'ଣ ମୋର ଶତ୍ରୁ ?

1 min
122

ବର୍ଷା

ତୁମେ ଏତେ ନିଷ୍ଠୁର ହେଲ କାହିଁକି

ବିନା ନିମନ୍ତ୍ରଣରେ ଚାଲି ଆସୁଛ

ଅତିଥି ହୋଇ

ଦେଇ ଯାଉଛ ସୁଖ ଶାନ୍ତି ବଦଳେ

ଦୁଃଖ ଓ ଯନ୍ତ୍ରଣା

ସୃଷ୍ଟି କରୁଛ ମନ ମଧ୍ୟରେ ଏକ ଗଭୀର କ୍ଷତ

ଝରାଇ ଦେଉଛ ନୟନରୁ ଧାର ଧାର ଅଶ୍ରୁ

କାହିଁକି ହେଉଛ ଅବିବେକୀ

ତୁମେ କ'ଣ ମୋର ଶତ୍ରୁ

ହଁ ଶତ୍ରୁ ହୋଇଥିବ ତ

ନହେଲେ କେମିତି ଆସନ୍ତ

ଦେଖୁନ ତୁମେ ଏ ଅଦିନରେ ଆସିଲ ବୋଲି

କେମିତି କଳା ପଡିଗଲେଣି

ମୋ ବିଳର ଧଳା ସୁନା ହଳଦିଆ ସୁନା ସବୁ

ନିଜର ସତ୍ତା ହରେଇଲେଣି

ଏମାନେ କ'ଣ ଆଉ ବିକ୍ରି ଯିବେ

ଦେଖିଛ ନା ତୁମେ କେବେ

ମୁଁ ମାଟି ସହ ମାଟି ହେବାର

ଖରା ବର୍ଷା ଶୀତ କାକର ସବୁକୁ

ମୁଣ୍ଡ ନୁଆଁଇ ସହି ନେବାର

ତୁମେ ଦେଖିଛ ନା

ମୋର ସ୍ତ୍ରୀ ଛୁଆ ପିଲା

ଟଙ୍କା ଅଭାବରୁ ଔଷଧ ନ ପାଇ ରୋଗର ଶେଯ କୁ ଆପଣାର ମଣିବାର

ତୁମେ ଦେଖିଛ ନା

ପେଟ ପାଇଁ ଦି ମୁଠା ଆହାର ଲାଗି

ସ୍ତ୍ରୀ ର ଗହଣା ସବୁକୁ

ସାହୁକାର ପାଖରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଗହନା କରିବାର

ତୁମେ ପୁଣି ଦେଖିନ କି

ଛୁଆ ପିଲା ସ୍ତ୍ରୀ ର ମନ ପସନ୍ଦର ବରାଦ କୁ

ଆଣିବାରେ ଜାଣିଶୁଣି ବିଳମ୍ବ କରିବାର

ତଥାପି ଚାଲି ଆସୁଛ ଅଦିନରେ

ଭିଜାଇ ଦେଉଛ ନଡା ଛପର ତିଆରି କୁଡିଆକୁ

ନଷ୍ଟ କରି ଦେଉଛ ପିଲାବେଳୁ ସାଇତି ରଖିଥିବା

ମାନବପଣକୁ

ଧ୍ବଂସ କରି ଦେଉଛ ମୋର ଦେଖିଥବା

ମହଣ ମହଣ ସ୍ବପ୍ନ ସବୁକୁ

ଉଜାଡି ଦେଉଛ ମୋର ସୁନାର ସଂସାରକୁ

ସଜେଇ ଦେଉଛ ଦାଣ୍ଡର ଭିକାରି

କରି ଦେଉଛ କଙ୍କାଳର ମୂର୍ତ୍ତି

ଏଠି ସମସ୍ତେ ନୀରବ

ମୋ ଦଶା ଦେଖିବ କିଏ

ଜୟ ଜବାନ ଜୟ କିଷାନ କହିବା ଟା ମୂଲ୍ୟହୀନ

କେବଳ ଶାସ୍ତ୍ରୀ ଙ୍କୁ ମନେ ପକାଇବାଟା ସାର

ସେ କହିଥିଲେ ବୋଲି

ଜୟ କିଷାନ ନାରା ବୋଧେ କହିବାକୁ ହୁଏ

କାହିଁକି ଦେଉଛ ଯନ୍ତ୍ରଣା

କାହିଁକି ମାରୁଛ ଛାଟ

ବାରମ୍ବାର ମୋ ପଞ୍ଜରା ହାଡରେ

ଜାଣିନ କି ମୁଁ ପରା ରାଷ୍ଟ୍ର ର ମେରୁଦଣ୍ଡ

ମୋ ମେରୁଦଣ୍ଡ ଦେଶର ମେରୁଦଣ୍ଡ ନୁହଁ କି

ହେଲେ ଏଭଳି କାହିଁକି

କ'ଣ ତୁମେ ମୋର ଶତ୍ରୁ କି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract