ବର୍ଷା ଋତୁ
ବର୍ଷା ଋତୁ
ଟୁପୁରୁ ଟୁପୁରୁ ମେଘ ବରଷିଲା
ବହିଲା ପୂବେଇ ବାଆ,
ନଈ କୂଳ ପାଖ ଗୋହୀରି ଭିତରେ
ଫୁଟିଲାଣି ଫୁଲ କିଆ;
ତହିଁରେ ଡାହୁକ ବସା;
ଡାହୁକର ହୁଟ ସତେକି ବିକଟ
ଉଛୁଳି ଉଠୁଛି ରସା ।।
ବରଷା ବତାଷି ଘୋର ଘଡଘଡି
ବିଜୁଳି ଚମକେ ଘନେ,
ଲତା ଗହଳରେ ପୁଛ ଟେକି ନାଚେ
ମୟୂର ଗହନ ବନେ;
ତା ଟିକି ପାଦ ପକାଇ;
ପାଟ ପୋକ ଚାଲେ ନାଲି ପାଟଶାଢ଼ୀ
ମଥାରେ ଓଢଣୀ ଦେଇ ।।
ଅବିରତ ବର୍ଷା ପାଣି ଗାଆଁ ଦାଣ୍ଡେ
କୁନାର କାଗଜ ଡଙ୍ଗା,
ଢଳିଢଳି ଚାଲେ ଆଗକୁ ଆଗକୁ
ପାଣି ପଡି ହୁଏ ଓଦା;
ପାଣିରେ ପାଣି ଫୋଟକା;
ମନେ ପ୍ରତେ ହୁଏ ଏ ଜୀବନ ସେହି
ଫୋଟକା ସମ ମଟକା ।।
ଆଜି ଅଛି କାଲି ନଥିବି କ୍ଷଣିକ
ସମାନ ଫୋଟକା ସମ,
ଜୀବନ ପବନ ମାଟି ଘଟେ ଖେଳେ
ଟାକି ରହିଅଛି ଯମ;
ମାଟିରେ ଫୁଟିଲା ଛତୁ;
ବରଷା ରେ ମାଟି ବିଦାରି ଜନ୍ମିଲେ
ସରିସୃପ କେତେ ଜନ୍ତୁ ।।
ନଦ ନଦୀ ଫୁଲି ପ୍ରଖର ସ୍ରୋତରେ
ଆଗକୁ ଯାଉଛି ଧାଇଁ,
ଉଛନ୍ନ ମନରେ ଆତୁରେ ଧାଉଁଛି
ସମୁଦ୍ରେ ମିଶିବା ପାଇଁ;
ଜୀବନ ଧାଏଁ ସେମିତି;
ଭେଟିବା ପାଇଁକି ମୃତ୍ୟୁ ସିନ୍ଧୁ ନୀରେ
ପାଇବାକୁ ମୋକ୍ଷ ପ୍ରାପ୍ତି ।।
