ବର୍ଷା ରାତିର ମନ
ବର୍ଷା ରାତିର ମନ
ମନ ଯେବେ ଉଡ଼ିଯିବ ଖାଲଖମା ଡେଇଁ
ଶାଳବଣ ନାଳ ଧାରେ ଧାରେ
ଶର୍ଗି ଫୁଲ ଚକ୍କର ମାରିମାରି
ଝଡ଼ି ପଡ଼ୁଥିବେ ଶାଳଗଛ ମୂଳେ
ଆଉ ତା ଦେହରେ ଲଟେଇ ହୋଇ
ମାଡି ଯାଇଥିବ ମଦାଙ୍ଗର ଫୁଲ
ପୂର୍ଣ୍ଣ ଯୌବନ ପ୍ରାପ୍ତ ହୋଇ ।।
ଗାଆଁ ଭୁଆସୁଣୀ ମାଠିଆରେ ପାଣିଭରି
ଫେରୁଥିବେ ଅଙ୍କା ବଙ୍କା ହିଡ଼ବାଟ ଦେଇ
ଲାଜକୁଳୀ ଲତା ତାଙ୍କ ପାଦ ଭାର ପାଇ
ଲାଜେଇ ତା କଣ୍ଟାକୁ ହୁଡ଼ୁଥିବ
ଏତେ ତୁ ନିଠେଇ
କାଲିପରା କହିଥିଲି ଏ ଚ଼ଲା ବାଟର
କୁ ହେବୁ ଏକା ସାକ୍ଷୀ
କୋଉ ଭେଣ୍ଡିଆ କେବେ
ବାଟ ଛେକି ଦେବ ଷୋଳ ବୟସୀଙ୍କୁ
ଦଂଶନ କରିବୁ ତୁ ତାହାରି ପାଦରେ
ଗୋଟେ ଅଙ୍ଗ ରକ୍ଷକ ହୋଇ ।।
ମନ ଯେବେ ଭିଜିଯିବ ଆଷାଢ଼ରେ
ମୌସୁମୀ ର ପହିଲି ମେଘରେ
ବୁଡ଼ିଯିବ ତାଳୁରୁ ତଳିପା ଯାଏଁ
ସୀମାହୀନ ପ୍ରେମର ସ୍ବର୍ଗୀୟ ସୁଖରେ
କଳ୍ପନାରେ ଗଢ଼ି ବାଲିଘର ହଜିଯିବି
ବାଦଲରେ ମୁକ୍ତ ବିହଙ୍ଗ ଟିଏ ହୋଇ ।।
ମନ ପୁଣି ଗାଆଁ ମୁଣ୍ଡ ଆଖୁ ବାଡ଼ିରେ
ମଞ୍ଚା ଜଗିଥିବା ଜଗୁଆଳ କୁହାଟରେ
ଟିକେ ସତେଜ ହୋଇ ଫେରିଯିବ
ଶୁଣି ଶୁଣି ଗାଈଆଳ ଟୋକାର
ବଂଶୀ ସ୍ବନକୁ ଗୋଧୂଳି ବେଳାରେ ,
ଗେଣ୍ଡାଳିଆ, ମାଛରଙ୍କା ଉଡ଼ିଯିବେ
ନିଜ ନିଡ଼ ପଥେ ପୋଖରୀ ହୁଡ଼ାରୁ
କଇଁଫୁଲ ଚ଼ାହିଁଥିବ ଜହ୍ନରାତିକୁ
ଅବାରିତ ବିରହିଣି ହୋଇ ।।
ସବୁ ସ୍ବପ୍ନ ଭାଙ୍ଗିଯିବା ପରେ
ଜଞ୍ଜାଳମୟ ଜୀବନକୁ ଫେରିଯିବି
କୁହୁଡ଼ିର ଅଚି଼ହ୍ନା ବାଟରୁ
ଚ଼ିହ୍ନା ପାଦଚ଼ିହ୍ନ ଖୋଜି ଖୋଜି ।।
