ବର୍ଷା ଲୋ ତୁ ହସୁଥାଅ
ବର୍ଷା ଲୋ ତୁ ହସୁଥାଅ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମୌସୁମୀ ହଜିଲା ହଜି ଲୁଚିଗଲା
ତଥାପି ଲୋ ବର୍ଷା ରାଣୀ !
ଶେଷ ଶ୍ରାବଣରେ ଧରିତ୍ରୀ ବୁକୁରେ
ରଚି ଚାଲିଲୁ କାହାଣୀ ।
କାହାଣୀ ସେ ନୁହେଁ ଶ୍ରାବଣୀ ବି ନୁହେଁ
ଖାଲି ବେଦନାର ଲୁହ ।
କେମିତି ତୋତେ ମୁଁ ବର୍ଷା ରାଣୀ ଭାବି
ବାଣ୍ଟିବି ଅକୁହା କୋହ !
ଶ୍ରାବଣୀ ରୂପରେ ଅଳ୍ପ ଅଳ୍ପ ଆସି
ଅର୍ଦ୍ଧଭିଜା ପଣତରେ ।
ଭାବିଥିଲୁ କି ତୁ ରାଗିଣୀ ବୁଣିବୁ
ଅପେକ୍ଷିତା ଧରଣୀରେ ?
ଶ୍ରାବଣୀ ହୋଇ ତୁ ସୃଷ୍ଟି କରିଥାନ୍ତୁ
ସ୍ୱର୍ଣ୍ଣପ୍ରସୂ ବସୁନ୍ଧରା ।
ଲଘୁ ନର୍ତ୍ତକୀର ଅତର୍କିତ ରୂପ
କରିଦେଲା ଭାଗ୍ୟହରା ।
ଅତର୍କିତ ରୂପେ ବିତର୍କିତ ହୋଇ
ଧରା ହେଲା ଜଳମଗ୍ନ ।
କେମିତି କଳ୍ପୁଛୁ ପ୍ରାଣୀଙ୍କ ପ୍ରାଣରେ
ଦେବାକୁ ତୁ ସୁଖସ୍ବପ୍ନ !
କେଉଁ ରୂପକୁ ତୋ' ସ୍ୱାଗତ କରିବି
ସବୁ ରୂପେ ତୁ ସୁକନ୍ୟା ।
କେବେ ସ୍ନିଗ୍ଧା କେବେ ବିଜୁଳି ବତାସ
ମରୁ ଉଦ୍ୟାନରେ ବନ୍ୟା ।
ବନ୍ୟା ବୈତରଣୀ ପୁଣି ତୁ ତ୍ରିବେଣୀ
କେବେ ପୁଣ୍ୟ କେବେ ପାପ ।
ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ସୃଷ୍ଟି କରୁ
ଅମାପ ତୋ' ପରିମାପ ।
ବର୍ଷା ଲୋ, ତୋ' ବକ୍ଷ୍ଯେ ଯେତେବେଳେ ନାଚେ
ଚତୁର୍ମାସ୍ୟାରେ ଚପଳା ।
ଦୂର ଦିଗ୍ବଳୟେ ଭସା ମେଘ ତା'ର
ଉଡାଏ ରଙ୍ଗ ମେଖଳା ।
ରଙ୍ଗ ସାତ ନେଇ ଇନ୍ଦ୍ରଧନୁ ନାଚେ
ତୋ' ପାଦରେ ତାଳ ଦେଇ ।
ସେତେବେଳେ ତୁ ଲୋ ନୃତ୍ୟ ତାଳେ ତାଳେ
ହସୁ ସୌଦାମିନୀ ହୋଇ ।
ନ ଆସୁ ମୌସୁମୀ ନ ହସୁ ଶ୍ରାବଣୀ
ବର୍ଷା ଲୋ,ତୁ ହସୁଥାଅ ।
ଧରଣୀରାଣୀର ପୁଣ୍ୟ ପଣତକୁ
ହସରେ ଭିଜେଇ ଦିଅ ।