STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବର୍ଷା ଛାଡ଼ିଗଲା ପରେ

ବର୍ଷା ଛାଡ଼ିଗଲା ପରେ

1 min
156


ଅଟକି ଥିବା ମୁହୂର୍ତ୍ତ ମାନେ ପୁଣି ଧାଇଁଥାନ୍ତି

ନିଜ ବେଗ ଦ୍ୱିଗୁଣିତ କରି

ଭିଡ଼ ଜମେ ଅଚାନକ କଟକର ଗଳି ରାସ୍ତାରେ

ଆଣ୍ଠୁଏ ପାଣିର ଏପାଖେ ସେପାଖେ

ବର୍ଷା ଛାଡ଼ିଗଲା ପରେ।


ଆତ୍ମହରା ମାଟି ଗାଏ ବେପରୁଆ ଭିଜା ଗୀତଟିଏ

ବାସି ଉଠେ ତା ପ୍ରତି ଅଙ୍ଗରାଜି ମହୁଆ ବାସ୍ନାରେ,

ସଦ୍ୟ ସ୍ନାତା ପତ୍ର ସବୁ ଦେଖେଇ ହୁଅନ୍ତି ନିଜ ସବୁଜପଣକୁ

ଓଦା ଓଦା ଖୁସି ସବୁକୁ ପବନରେ ଛିଞ୍ଚାଡ଼ି ଛିଞ୍ଚାଡ଼ି

ପବନ ବି ଝାଡ଼ି ଝୁଡ଼ି ହୋଇ ଧୂଳି ସବୁ ଧୋଇଗଲା ପରେ,

ବହିଯାଏ ଛୁଇଁବାକୁ ଦିଗନ୍ତର ଧୂଆଁଳିଆ ଦେହ

ବର୍ଷା ଛାଡ଼ିଗଲା ପରେ।


ରୁନ୍ଧି ହେଉଥିବା କୋହରୁ ମୁକ୍ତ ହୁଏ ନଭ

ଶୋଇଯାଇ ଥିବା ମୋହ କରି ବସନ୍ତି ତୁଛା କଳରବ

ଚମକି ଉଠେ ଖରା ଆଖିଟାକୁ ତରାଟି ଖୁସିରେ

କଅଁଳା ବାଛୁରୀଟା ଖସି ଆସି କଚଡାଏ ପଡ଼ି

ଡାକୁଥାଏ ମାଆକୁ ତା ଦେଇ ହମ୍ବା ରବ

ବର୍ଷା ଛାଡ଼ିଗଲା ପରେ।


ଓଳି ପାଣି ଶୁଖିନି ଏ ଯାଏଁ

ବତୁରା ଚାଳରୁ ଝରେ ନାଲି ଚା ରଙ୍ଗର ବଳକା ବରଷା

ଗାଁ ମୁଣ୍ଡ ସନିଆ ଅଜାର କଣା ଚାଳ ଦେଇ

ପଶି ଆସିଛି ଅଚାନକ ଅସରାଏ ବର୍ଷା

ଓଦା କନ୍ଥାକୁ ଗୋଟେଇ ରଇଜଳା ମେଘକୁ ସମ୍ପୁଛି

ରାଗରେ ଜର ଜର ହୋଇ

ବର୍ଷା ଛାଡ଼ିଗଲା ପରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract