ବର୍ଣ୍ଣାଳୀ
ବର୍ଣ୍ଣାଳୀ
ତାଳ ଖେତ ବଣେ ସବୁଜ ଲହରୀ
ଶ୍ରାବଣୀ ଗାଉଛି ଗୀତ,
ଟୁପୁରୁ ଟାପୁରୁ ଭିଜା କବରୀରେ
ଆନନ୍ଦେ ହସଇ କ୍ଷେତ ॥
ସବୁଜିମା କୋଳେ ବସୁନ୍ଧରା ହସେ
ପଖାଳି ସବୁଜ ବେଣୀ,
ଭେକଂକ ବନ୍ଦାଣେ ସନ୍ଧ୍ୟାରାଣୀ ଆଣେ
ସବୁଜ ପାଟେ ଧରଣୀ ॥
କବିସୂର୍ଯ୍ୟଂକର କଥାମୃତ ଗାଇ
କୃଷକ ବାପୁଡା ଭାଇ,
କର୍ଦ୍ଦମିତ ଅବ- ୟବରେ ସଂଚାରେ
ଝୁଡିଏ ସପନ ନେଇ ॥
ଚାଳର ମଥାନେ ବାଷ୍ପୀୟ ଶକଟ
ଖଦ୍ୟୋତକୁ ବହି କୋଳେ,
ଶୂନ୍ୟ ସବାରୀରେ ନୂଆ ବୋହୁ ସାଜି
ସନ୍ଧ୍ୟାର ଆଳତି ଜାଳେ ॥
ଅନଳ ଆଶାରେ ପତଂଗେ ଧାଆଁନ୍ତି
ଭାବ ପ୍ରୀତି ଡୋର ନେଇ,
ଭକ୍ଷକ ମୁଖରେ ଖାଦ୍ୟସାର ସାଜି
ନିଜେ ପ୍ରାଣଙ୍କୁ ହାରଇ ॥
ପଣତ ଉହାଡେ ନବ ବଧୂ ଗାଏ
ଅମୂଲ୍ୟ ସତ ସଂହିତା,
ବୃଦ୍ଧ ବୃଦ୍ଧା ପ୍ରାଣେ ପୁଲକ ମହଣେ
ଇଶ୍ୱର ଇଶ୍ୱରୀ ଗାଥା ॥
ମାଆ ପଣତରେ କୋମଳ ଶେଯରେ
ଶିଶୁ ସାଜିଥାଏ ନଟ,
ମାତୃ ପ୍ରେମେ ଲାଜେ ଅଳସ ରଜନୀ
ଖୋଜୁଥାଏ ଯିବା ବାଟ ॥
ବର୍ଷଣ ବାରତା ପ୍ରହାରି ପ୍ରହରେ
ପ୍ରକୃତି ହୁଏ ଶିଥିଳା,
ସବୁଜ କାମିନୀ ସାଜି ଅଭାଗୀନି
ପ୍ରସାରେ କଟି ମେଖଳା ॥
