ବୃହତ ଓଡ଼ିଶା
ବୃହତ ଓଡ଼ିଶା
ଗଙ୍ଗା ଠାରୁ ଗୋଦାବରୀ ଯାଏଁ
ବ୍ଯାପ୍ତ ଥିଲା ଓଡ଼ିଶା ଆମର ।
ଫିରିଙ୍ଗି ଶାସନେ ଆମ ଭାଷା
ରହିଥିଲା ଚାରି ପ୍ରଦେଶର ।୧।
ମାନ୍ଦ୍ରାଜ ମଧ୍ଯପ୍ରଦେଶ ବଙ୍ଗଳା ଓ
ପୁଣି ଛୋଟନାଗପୁର ।
ଏ ଚାରି ପ୍ରଦେଶ ଭାଷାଭାଷୀ ସବୁ
ଥିଲେ ଓଡିଆ ଭାଷାର ।୨।
ମୟୂରଭଞ୍ଜର ମହାରାଜା, ଧରା-
କୋଟର ରାଜାସାହେବ।
ରାଜା କିଶୋରଚନ୍ଦ୍ର ହରିଚନ୍ଦନ
ତାଳଚେରର ରାଜାସାହେବ ।୩।
କନିକା ରାଜା ରାଜେନ୍ଦ୍ରନାରାୟଣ,
ସୁରଙ୍ଗୀ ରାଜାସାହେବ ।
ଆଠଗଡ ରାଜା ବିଶ୍ଵନାଥ ବେବର୍ତ୍ତା
ପଟ୍ଟନାୟକ ,କେରା ଠାକୁର ସାହେବ ।୪।
ରାଜା ବୈକୁଣ୍ଠନାଥ ଦେ, ବିକ୍ରମଦେବ
ବର୍ମା , ମଧୁ ବାରିଷ୍ଟର ।
ଫକୀରମୋହନ, ଗୋପବନ୍ଧୁ ଦାସ
ତଥା ରାଜା ମଞ୍ଜୁଷାର ।୫।
ଜଗବନ୍ଧୁ ସିଂହ ସମେତ ଏ ସର୍ବେ
ଉତ୍କଳ ସମ୍ମିଳନୀର ।
ସଭାପତି ରହି ସଭାକାର୍ଯ୍ୟ ତାର
ଚଳାଇଲେ ବାର ବାର ।୬।
ଊନବିଂଶ ଶତ ବିଂଶ ଖ୍ରୀଷ୍ଟାବ୍ଦରେ
ଚକ୍ରଧରପୁର ଠାରେ ।
ଶେଷ ସମ୍ମିଳନୀ ବସିଥିଲା ଏହା
ନିଷ୍ପ୍ରାଣ ହେଲା ତାପରେ ।୭।
କଂଗ୍ରେସରେ ଯୋଗ ଦେବ ସମ୍ମିଳନୀ
ପ୍ରସ୍ତାବ ଗୃହୀତ ହେଲା ।
ରାଜା ମହାରାଜା ଅପସରି ଗଲେ
ସମ୍ମିଳନୀ ନ ଚାଲିଲା ।୮।
ବିଚ୍ଛିନ୍ନ ଅଞ୍ଚଳେ ରହିଗଲା ସ୍ବପ୍ନ
ଉତ୍କଳ ସମ୍ମିଳନୀର ।
ଊନବିଂଶ ଶତ ତିନିରେ ଗଢିଲେ
ଯାହା ମଧୁ ବାରିଷ୍ଟର ।୯।
ଆନ୍ଧ୍ରରେ ରହିଲା ପଲାସା ଟେକ୍କାଲି
ଜଳନ୍ଧର ଇଚ୍ଛାପୁର ।
ବୁଡାରସିଂ ତରଳା ତଥା ଅନେକ
ଅଂଶ ପାରଳାଖେମୁଣ୍ଡିର ।୧୦।
ମଧ୍ୟପ୍ରଦେଶର ବସ୍ତର ପୂର୍ବାଂଶ
ଅନେକାଂଶ ଯଶପୁର ।
ଫୁଲଝର ଶାରଣଗଡ ଏସବୁ
ଓଡ଼ିଆଭାଷୀ ଆମର ।୧୧।
ବଙ୍ଗଳାଦେଶରେ ରହିଲା ଅନେକ
ଅଂଶ ମେଦିନୀପୁରର ।
ବିହାର ରାଜ୍ୟରେ ରହିଅଛି ସିଂହ-
ଭୂମି ଆମ ଓଡିଶାର ।୧୨।
କେନ୍ଦ୍ର ସରକାର ଯାତାୟାତ ପଥ
ନଥିବା ଆଳ ଦେଖାଇ ।
ଷଢ଼େଇକଳା ଓ ଖରସୁଆଁ ରାଜ୍ୟ
ବିହାରକୁ ଗଲେ ନେଇ ।୧୩।
ପାରଳାର ମହାରାଜା ଗଜପତି
କୃଷ୍ଣଚନ୍ଦ୍ର ନାରାୟଣ ।
ଦେବଙ୍କ ପ୍ରଚେଷ୍ଟା ବଳେ ସ୍ବତନ୍ତ୍ର
ଓଡ଼ିଶା ପ୍ରଦେଶ ଗଠନ। ୧୪।
ଉଣେଇଶି ଶହ ଛତିଶି ମସିହା
ଅପ୍ରେଲ ପହିଲା ଦିନ ।
ହେଲା ସିନା ଅପୂରଣ ରହିଗଲା
ବୃହତ ଓଡ଼ିଶା ଗଠନ ।୧୫।
ଲୋପ ପାଇଯିବ ଓଡିଆ ଭାଷା ଓ
ସଂସ୍କୃତି ବିଚ୍ଛିନ୍ନାଞ୍ଚଳେ ।
କମ୍ପନ ଖେଳିଛି ସୀମା କମିଶନ
ଓଡିଶା ଆସିବା ବେଳେ ।୧୬।
ସ୍ବତନ୍ତ୍ର ପ୍ରଦେଶ ହୋଇ ବି ସ୍ୱପନ
ସଫଳ ହୋଇନି ତାର ।
ସତେ କି ହୋଇବ ଏ ସ୍ବପ୍ନ ପୂରଣ
ଆମ ଉତ୍କଳ ମାତାର ।୧୭।