ବୃଦ୍ଧ
ବୃଦ୍ଧ


ଜୀବନର ଛବି ପ୍ରତୀତ ହୁଅଇ
ବୃଦ୍ଧ ବୟସରେ ବେଶି ;
ଦୁଃଖେ ଜର୍ଜରିତ ଏଜୀବନ ସତ୍ୟ
ମୃତ୍ୟୁ ପାଶେ ଥାଏ ବସି !!
ପ୍ରିୟଜନ ସର୍ବେ ଭୁଲିଯା'ନ୍ତି ସତେ
ସମୟକୁ ଆଳ କରି ;
ଦୃଷ୍ଟି ଆଢୁଆଳେ ବୃଦ୍ଧ ଲୁହଢାଳେ
ସମ୍ପର୍କକୁ ଝୁରିଝୁରି !!
ନିଃସହାୟତାର ଚରମ ସ୍ବାକ୍ଷର
ଉଦବେଳିତ ମନ ପ୍ରାଣ. ;
ପୁତ୍ର ପୁତ୍ରବଧୂ ଦୁଃଖ ଦ୍ୟନ୍ତି ସବୁ
ପ୍ରାୟଶ୍ଚିତେ ସୁଝେ ଋଣ..!!
ଶ୍ରମଦାନ କରି ଗଢି ତୋଳି ଥିଲି
ସୁରମ୍ୟ ଆବାସ ନୀଡ଼. ;
ସେଇ ନୀଡ଼େ ଆଜି ଝଡ ଉଠେ ଗର୍ଜି
ଆଖିରୁ ହଜିଛି ନିଦ !!
ବୃଦ୍ଧ ହେବା କ'ଣ ମୋର ବଡ଼ ପାପ
ଅବସାଦେ ବିତେ ଦିନ ;
ହାୟରେ ସମୟ ହେଲୁ ତୁ ନିର୍ଦ୍ଦୟ
ବୁଝୁନି ଅବୁଝା ମନ. !!
ସ୍ନେହ ଶ୍ରଦ୍ଧା
ପ୍ରୀତି ଉଭେଇ ଯାଇଛି
ଅନୁଭବେ ଅନୁତପ୍ତ. ;
ପୁତ୍ରମାନେ ମୋର କେତେ ସଂସ୍କାରିତ.?
ଜୀବନ୍ତେ ସାଜିଛି ପ୍ରେତ. !!
ଅର୍ଦ୍ଧାଙ୍ଗିନୀ ଦୁଃଖ ମୋଠାରୁ ଅପାର
ହୃଦୟ ମୋ' ସହୁନାଁହି ;
କର୍ଣ୍ଣକଟୁ ଶବ୍ଦ. ହୃଦେଭରେ କୋହ
ଜୀବନ୍ତ ମରଣ ଏହି !!
ହାତଧରି ଯିଏ ଚାଲୁ ଥିଲା ଦିନେ
ସ୍ୱପ୍ନ ବିଭୂଷିତ.ମନେ ;
ସେଇ ପୁତ୍ର ଆଜି ଭୁଲି ତ ଯାଇଛି
ଯୌବନର ଊଥାପନେ !!
ହେ ସନ୍ତାନ ସନ୍ତତି କରୁଛି ବିନତୀ
ପିତାମାତା ଦେବତୁଲ ;
କେତେ କ୍ଳେଶ ସହି ଜନ୍ମ ଦେଇଛନ୍ତି
ହେଜ ଆହେ ଟିକି ଫୁଲ. !!
ସୁରମ୍ୟ ସୃଷ୍ଟିର ରମ୍ୟ ଉପହାର
ବୃଦ୍ଧ ପିତାମାତା ଆମ ;
ଅବହେଳା ଚିହ୍ନ ରଖ ନାହିଁ ଧନ
ଅଜାଡିବା ସ୍ନେହ ପ୍ରେମ. !!