ବ୍ରାହ୍ମଣୀ ମାତା
ବ୍ରାହ୍ମଣୀ ମାତା


ନାରୀ ପୂଜ୍ୟା ମହାମାୟା ନାରୀ ଜନ୍ମଦାତ୍ରୀ
ନାରୀ ହିଁ କଲ୍ୟାଣମୟୀ ଜାୟା ଭଗ୍ନୀ ପୁତ୍ରୀ ।
ସାଗର ସଦୃଶ ମନ ଅଗାଧ ତା ସ୍ନେହ
ସମାହାରେ ପୂଣ୍ୟତୋୟା ବାନ୍ଧି ଛନ୍ତି ମୋହ ।
ଯୁଗେ ଯୁଗେ ନାରୀ ଦାନେ ସୃଷ୍ଟିର ଚଳନ
ତହିଁରୁ ବ୍ରାହ୍ମଣୀ ରୂପ ସୁବାସ ଚନ୍ଦନ ।
ପୂଜିତ ହୁଅଇ ପୁଷ୍ପ ସଙ୍ଗେ ଯୁକ୍ତ ଢାଗା
ବେନି ପ୍ରାଣ ଆଶିଷରେ ହୁଅନ୍ତି ସୁଭଗା ।
ଚାରି ବର୍ଣ୍ଣେ ଶ୍ରେଷ୍ଠ ବର୍ଣ୍ଣ ବୈଷ୍ଣବ ବ୍ରାହ୍ମଣ
ବ୍ରାହ୍ମଣୀ ତହିଁରେ ଯୋଗ୍ୟ ସଦାଚାରୀ ଗୁଣ ।
ମାତୃ ସ୍ଵରୂପିଣୀ ସେତ ବିଷ୍ଣୁପଦୀ ତୁଲ୍ୟ
ଅଜ୍ଞାନ ଜନ କି ବୁଝେ ତାଙ୍କ ହୃଦ ମୂଲ୍ୟ ।
ନିଶି ଦିନ ପ୍ରଭୁ ପାଦେ ଏକ ଚିତ୍ତ ଲୟ
ସମାଜ କଲ୍ୟାଣ ଅର୍ଥେ ଚିନ୍ତି ସଦୁପାୟ ।
ଚାରୁ ସୁଷମା ମଣ୍ଡିତା ଯେହ୍ନେ କମଳିନୀ
ବ୍ରାହ୍ମଣୀ ମାତାଙ୍କ ମନ ସ୍ଵଚ୍ଛ ହୀରା ମଣି ।
ପ୍ରାଣ ବିହାୟସେ ଫୁଟେ ନିତି ସତ୍ୟ ଧର୍ମ
ବିହରନ୍ତି ଅତି ସୁଖେ ଜୋଛନାର ସମ ।
ଉଚିତ୍ ମାର୍ଗରେ ସଦା ସଂଚାଳନ କରି
ବିହିତ ଯା ସମାଜକୁ ମରୁ ସ୍ଥଳେ ବାରି ।
ଧୀର ଶାନ୍ତ ବିଭୂଷିତା ଲକ୍ଷ୍ମୀ ତୁଲ୍ୟ ମାତା
ସୌଭାଗ୍ୟ ବଳରେ ସେତ ହୁଅନ୍ତି ପୂଜିତା ।