ବୋଉ ମୁଁ ଓ ଜନ୍ମାଷ୍ଟମୀ
ବୋଉ ମୁଁ ଓ ଜନ୍ମାଷ୍ଟମୀ
ମନେପଡେ ସେହି
ବାଲ୍ୟକାଳ ଜନ୍ମାଷ୍ଟମୀ ,
ଗାଁ ଦାଣ୍ଡସାରା
କଉତୁକେ ମାତୁଥିଲା....!
ଏ ମୁଣ୍ଡୁ ସେ ମୁଣ୍ଡ
ଆବାଳବୃଦ୍ଧବନିତା ,
ସମସ୍ତଙ୍କ ପାଇଁ
କାହ୍ନା-ଗୀତ ମିଠା ଥିଲା !!
କିଏ ଭଜୁଥିଲା
ହରେ କୃଷ୍ଣ ହରେ କୃଷ୍ଣ ,
କିଏ ଗାଉଥିଲା
ଶ୍ରୀରାଧା ବିରହ ଗୀତି !
କାହା ଅଧରରେ
ରାଧା ସ୍ତୁତି ଚପଳତା ,
କହ୍ନେଇ ପାଇଁ କି
ଭରା-ଯଉବନ ପ୍ରୀତି !
ଭୁଲି ଯାଉଥିଲୁ
ବାସ୍ତବତା ଜୀବନର ,
ଜୀବନରେ ଥିଲା
ଗ୍ରାମାଞ୍ଚଳ ଗ୍ରାମ୍ୟପ୍ରଥା !
ଗ୍ରାମ ବରଗଛ
ଏବେ ବି ଅଛି ଅନେଇ ,
ମନେ ପଡ଼େ ସେଇ
ଅଭିଜାତ ମାଦକତା !
ବଉଳବିହୀନ
ବୃଦ୍ଧ ଆମ୍ବଗଛ ଡାଳେ ,
ବାଲ୍ୟ ଚପଳତା
ଖେଳେ ଖେଳ ଅନ୍ତରାଳେ !
ଉପବାସ ନାଆଁରେ
ବୋଉର ମିଠା ପଣତ ,
ଭିଜି ଯାଉଥିଲା
ଦୁଷ୍ଟାମୀର ମୃଦୁ ରୋଳେ !
ଦିନକ ଆଗରୁ
ଉପବାସର ଗୀତରେ
ମାତି ଯାଉଥିଲୁ
ଜନ୍ମାଷ୍ଟମୀ କଥା ନେଇ !
ବୋଉର ଦୃଷ୍ଟିରେ
ଥିଲୁ ସିନା ଉପବାସୀ ,
ଲୁଚି ଖାଉଥିଲୁ
ପେଟୁଆ ଗଣେଶ ହୋଇ !
ଅଷ୍ଟମୀ ପରବ
ନଥିଲା ଏତେ ମହତ ,
ମହତ ତ ଥିଲା
ଆମ ବାଲ୍ୟ ଚପଳତା !
ସେଇ ଚପଳତା
ଖୋଜିଲେ କାହୁଁ ମିଳିବ ,
ହଜି ଯାଇଅଛି
ଗାଁ ଗର୍ବ ଓ ମମତା !
ବୋଉର ପଣତେ
ବାତ୍ସଲ୍ୟର ମହାମନ୍ତ୍ର ,
କିଏ ଜାଣିଥିଲା
ବୋଉ ମୋ' ପ୍ରେମ ଅନ୍ଧୁଣୀ !
ଆଜି ମୁଁ ଖୋଜୁଛି
ବୋଉର ସେଇ ପଣତ ,
ପାଉନି ରହିଛି
କେବଳ ମମତା-ବାଣୀ !
ନାହିଁ ମାଦକତା
ଜନ୍ମାଷ୍ଟମୀ ପରବର ,
ରହିଛି କେବଳ
ମିଛ ପରମ୍ପରା ହୋଇ !
ବୋଉର ମମତା
ଏବେ ବି ବଞ୍ଚି ରହିଛି ,
ଆମରି ମଥାରେ
ଅମୋଘ ଧର୍ମାସ୍ତ୍ର ହୋଇ !
ବୋଉ ଲୋ ! ଫେରିଆ
ଜନ୍ମାଷ୍ଟମୀ ମନେଇବା ,
ଲୁଚିଲୁଚି ସବୁ
ପିଠାତକ ଖାଉଥିବି !
ପରବ ନାଆଁରେ
ଆଉ ଏକ କାହ୍ନା ହୋଇ
ତୋ' ପଣତେ ମୁହଁ
ଲୁଚାଇ ତୋ' କୋଳେ ଥିବି !
ମୋ' ପାଇଁ ଦେବକୀ
ମୋ' ପାଇଁ ତୁହି ଯଶୋଦା ,
ପରମ୍ପରା ଆଉ
ପ୍ରକୃତିର ସମାହାର !
ଅର୍ପଣ କରୁଛି
ମୋର ବାଲ୍ୟ ଚପଳତା ,
ଲୁଚେଇ ରଖିଥା
ପବିତ୍ର ପଣତେ ତୋ'ର !
