STORYMIRROR

Prabhati Mahapatra

Classics Others

3  

Prabhati Mahapatra

Classics Others

ବୋଲେ ହୁଁ ଟି

ବୋଲେ ହୁଁ ଟି

1 min
202


ଶୁଣ ଆଗୋ ମୋର ମିତଣୀ ବୋଲେ ହୁଁ ଟି

ଆଦିମାତାଙ୍କର କାହାଣୀ ବୋଲେ ହୁଁ ଟି

ଏକ ମାତ୍ର ଶୈଳସୁତା ସେ

ବଢୁ ଥିଲେ ଅତି ହରଷେ

ପୁଷ୍ପ ଫୁଟିବାର ସମୟ ବୋଲେ ହୁଁ ଟି

କାମଦେବ କଲେ ଅଥୟ ବୋଲେ ହୁଁ ଟି


ନିତି ହର ପୂଜା କରନ୍ତି ବୋଲେ ହୁଁ ଟି

ବଦଳିଲା ଭାବ ମୁରତି ବୋଲେ ହୁଁ ଟି

ଅଟଳ ଚିତ୍ତ ରେ ବସିବେ

ଯୋଗୀକୁ ସେ ଭୋଗି କରିବେ

ଏକଥା ମାତାଙ୍କୁ କହିଲେ ବୋଲେ ହୁଁ ଟି

ଶିବ ବରି ଆଣ ମୋ ତୁଲେ ବୋଲେ ହୁଁ ଟି ।


କ୍ରୋଧଭରେ ମାତା ବୋଲନ୍ତି ବୋଲେ ହୁଁ ଟି

ଶିବର ତ ପୋଡ଼ା ପ୍ରକୃତି ବୋଲେ ହୁଁ ଟି

ଭସ୍ମ ବିଲୋପନେ ରହିଛି

ହାଡ଼ ମାଳକୁ ସେ ଧାରିଛି

ବ୍ୟାଘ୍ର ଛାଲ ତାର ବସନ ବୋଲେ ହୁଁ ଟି

ତାକୁ ଯୋଗ୍ୟ ଉମା ରତନ ବୋଲେ ହୁଁ ଟି ।


ମାତା ପିତା ହେଲେ ଚିନ୍ତିତ ବୋଲେ ହୁଁ ଟି

ଆଉ କି ରହିବ ମହତ୍ ବୋଲେ ହୁଁ ଟି

ଯେତେ ବୁଝାଇଲେ ନବୁଝେ

କେଉଁ ଋଣ ଅବା ସେ ଶୁଝେ

ଯିଦିରେ ଅଟଳ ଗଉରୀ ବୋଲେ ହୁଁ ଟି

ଗୃହ ତ୍ୟାଗ କଲେ ସୁନ୍ଦରୀ ବୋଲେ ହୁଁ ଟି ।


ତାପସୀ ବସ୍ତ୍ରକୁ ପିନ୍ଧିଲେ ବୋଲେ ହୁଁ ଟି

ସ୍ବର୍ଣ୍ଣ ଆଭୂଷଣ ତ୍ୟାଗୀଲେ ବୋଲେ ହୁଁ ଟି

ପୁଷ୍ପ ହାର କଣ୍ଠେ ଲମ୍ବାଇ

ବାଜୁରେ କୁସୁମ ସଜାଇ

ପିତା ମାତା କଥା ନଶୁଣି ବୋଲେ ହୁଁ ଟି

କାନନେ ଚଳିଲେ ତକ୍ଷଣି ବୋଲେ ହୁଁ ଟି ।


ଚାରିପାଶେ ବହ୍ନି ବଳୟ ବୋଲେ ହୁଁ ଟି

ତଥାପି ନିଡରେ ବିଜୟ ବୋଲେ ହୁଁ ଟି

ଶିତଳ ତଟିନୀ ଜଳରେ

ଦଣ୍ଡାୟମାନ ଯେ ଧ୍ୟାନରେ

ପୁଣି ଗ୍ରୀଷ୍ମେ ତପ କରିଲେ ବୋଲେ ହୁଁ ଟି

ଅଗ୍ନି ପଥେ ମାତା ଖେଳିଲେ ବୋଲେ ହୁଁ ଟି ।


ପ୍ରେମରେ ହୋଇଲା ବିଜୟ ବୋଲେ ହୁଁ ଟି

ନୀଳକଣ୍ଠ ହେଲେ ଅଭୟ ବୋଲେ ହୁଁ ଟି

ପାର୍ବତୀ କରିଲେ ବରଣ

ସେବି ଶମ୍ଭୁ ପାଦ ଚରଣ

ପ୍ରଭାତୀ କରୁଛି ବିନତି ବୋଲେ ହୁଁ ଟି

ଡାକ ଶୁଣ ଉମା ପାର୍ବତୀ ବୋଲେ ହୁଁ ଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics