ବୋଧେ ଇତିହାସ ଯିବି ହୋଇ
ବୋଧେ ଇତିହାସ ଯିବି ହୋଇ
ହୃଦୟେ ଭରେ ମୋ କୋହ
ଆଖିରେ ଆଖିଏ ଲୁହ
ଦିନୁଦିନୁ ଭୁଲି ଯାଉଛ ମୋତେ
ମୁଁ ଆଉ ତ ତୁମର ନୁହଁ !
ମୋ ପାଇଁ ଅପେକ୍ଷା ତୁମ
ହୋଇ ତ ଗଲାଣି ଶେଷ
ଲୁପ୍ତ ହେବାକୁ ବସିଲାଣି
ଆସ୍ତେ ଆସ୍ତେ ମୋର ହସ ।
ତୁମ ଅଧୀର ବିଭୋର ପଣେ
ମୁଁ ପାଉଥିଲି କେତେ ସୁଖ
ଏବେ ସେତିକି ଲୋଡନା ମୋତେ
ଛାତି ଫାଟି ଯାଏ ମୋର ଦେଖ ।
ଧାନ, ଚୁଡା, କୁଟାକୁଟି,ମୁଢି ଭଜା
ବଡି ପରା ନିଶ୍ଚେ ହେଉଥିଲା
ଘର ଲିପାପୋଛା ସଫା ସଫି
ଜାଳ ସାଇତା ହୋଇ ରହୁଥିଲା ।
ଦୋଳି, ପୋଡପିଠା,ପାନଖିଆ
ତାସ, ଲୁଣୁପେଟି,କବାଡି ଖେଳ
ଆସ୍ତେ କମିଲାଣି ଏସବୁର ମଜା
ନାହିଁ ରଜ ବନ୍ଧୁ ବୁଲା ବେଳ ।
ସଜ ବାଜ ଦିନ ତତ୍ପରତା
ପହିଲି ରଜ ପାହାନ୍ତା ଗାଧୁଆ
କୁକୁମ,ଅଳିତା, ନୂଆପିନ୍ଧା
ନାହିଁ ରଜ ହେଁସ ମାଦକତା !
ଶୁଭୁନି ବନସ୍ତେ ଡାକିଲା ଗଜ
ରଜ ଦୋଳି କଟମଟ ଗୀତ
ବର, ଚାକୁଣ୍ଡା, ଆମ୍ବ ଗଛେ
ବାଉଁଶ ଦୋଳି ଫିଙ୍ଗା ମିତ ।
ଠା ଠା ତାସ,ପାଲିର ମେଳା
ଏବେ କେଉଁଠି ପଡିଛି ବନ୍ଧା
ସହର ଛାଡି ଆସୁନି ପୁଅ
ଖାଇବାକୁ ମା' ଶାଗୁଆତି ରନ୍ଧା ।
ରଜ ମଉଜର ଯେଉଁ ଯୋଶ
କର୍ପୂର ଉଡ଼ା କନା ପରି
ରଜ ଛୁଟିଟା ନହେଲେ କହ
କିଏ ଜାଣନ୍ତା ମୁଁ ଆସୁଛି ବୋଲି ?
ଜଗତି କରଣ ଯନ୍ତ୍ର ମଣିଷ
ଟିଭି ପରଦା ,ଫେସବୁକ କବିତା
ଫୋନ,ହ୍ଵାଟ୍ସଆପେ ବାନ୍ଧ ମୋତେ
ଯହିଁ ନାହିଁ ଟିକେ ଆତ୍ମୀୟତା ।
ମୁଁ ଅଣ୍ଡାଳୁଛି ସେଇଦିନ
ସେଇ ଖୁସିର ପୋଡପିଠା ବାସ୍ନା
ଉଛୁଳା ରଜ ଦୋଳି କଟମଟ ସୁର
କୁଆଁରୀ ଆଖି ଭର୍ତ୍ତି ଜ୍ୟୋତ୍ସ୍ନା ।
ପ୍ରଥା ମଣିଷ ଏବେ କାହିଁ
ଆଜି କୁଆଡେ ଯାଏ ଉଭାଇ
ଲାଗୁଛି ଦିନ କେଇଟାରେ ମୁଁ
ବୋଧେ ଇତିହାସ ଯିବି ହୋଇ !
ତଥାପି ମୁଁ ବରଷକେ ଥରେ ଆସିବି
ଦୋଳି,ପାନ, ପୋଡ ପିଠା ସାଥେ
ବର୍ଷାକୁ ସାଥେ ଆଣିବି କାଖେଇ
ଖୁସି ଭେଟି ଦେବି ତୁମ ହାତେ ।