ପ୍ରେମ ଚିଠି
ପ୍ରେମ ଚିଠି
ଦିନ ଥିଲା ତୁମେ ଚିଠି ଲେଖୁଥିଲ
ଅନେକ ଅନେକ ସପନ ନେଇ
ସପନେ ସପନେ ଲେଖୁଥିଲ ତୁମେ
ମରମ ତଳର ଦରଦ ବହି
ପାରୁନି କହି ମୁଁ ପାରୁନି ରହି
ପ୍ରେମର ଯାତନା ହୁଏନା ସହି ।
ଚିଠି ତୁମ ଆଜି ପୁରୁଣା ହେଇଛି
ସ୍ମୃତିର ମହକ ଯାଇନି ଚାଲି
ଯେବେ ମୁଁ ପଢୁଛି ନିରୋଳାରେ କେବେ
ତୁମ ପ୍ରୀତି କେବେ ପାରେନା ଭୁଲି
କେମିତି ଭୁଲି ବି ସେ ସ୍ମୃତିର ଗାଥା
ମନ ତଳେ ଉଠେ ଚେଇଁ ।
ତୁମେ ଚାଲି ଗଲ ଏ ମନକୁ ନେଇ
ସେ ଦିନୁ ତୁମକୁ ରହିଛି ଚାହିଁ
ଭାବି ନ ଥିଲି ମୁଁ ସପନରେ ଥରେ
ତୁମେ ଏମିତିକା ପାରିବ ହୋଇ
ଶୂନ୍ୟତା ମାପୁଛି ହୃଦୟର ମୋର
ତୁମ ବିନେ ଯାହା ଯାଇଛି ରହି
ଏ ଜନମେ ତୁମେ ହେଲନି ମୋ ପ୍ରିୟା
ଆର ଜନମକୁ ରହିଲି ଚାହିଁ ।

