ଅଧାଲେଖା
ଅଧାଲେଖା
ଜୀବନ ଆକାଶେ
ବେଳ ରତରତ
ପଶ୍ଚିମେ ଢଳନ୍ତି ସୂର୍ଯ୍ୟ
ସଂଜ ଆସେ ନଇଁ ନଇଁ
ମହା ନିଦ୍ରାର ବିଛଣା ସଜଡା
ହେଲେ ଲୋଭ ତ ଛାଡୁନାହିଁ।।
ଜଳୁଛି ମଣିଷ କ୍ରୋଧ ,ମୋହ ,କାମେ
ଅହଂକାର, ବଡେଇରେ ଘଟ ପୂର୍ଣ୍ଣ
ବୁଝେନି ପାପ କି ଅବା ପୁଣ୍ୟ
ଲାଳସା ନିଶାରେ ମସ୍ତ
ତେଲ ସରିଆସେ
କେମିତି ଜାଳିବ
ଜୀବନର ମାଟିଦୀପ !
ରଙ୍ଗ ତା ମାଖୁଛି
କେଶ,ନିଶ, ଦେହେ, ମୁହେଁ
ତଥାପି ଜୀବନ ଫିକା
ଜୀବନ ସରୁଛି ଜୀବନ କବିତା
ରହିଯାଏ ଅଧା ଲେଖା !
ଅବଶୋଷ ଯେବେ କଡ ଲେଉଟାଏ
କରିବାର ଯୁ ତ ନ ଥାଏ କିଛି
ଯେଉଁ ହାତ ଗୋଡେ
ଏତେ ପନ୍ତିଆରା
ସେମାନେ ଆଶ୍ରାଟିଏ ଲୋଡନ୍ତି
ଜୁଳୁଜୁଳୁ ଯାହା ଚାହେଁ ନିର୍ବାକେ
ନିର୍ବୋଧ ମେଷ ଛୁଆ ପରି।