ବଂଶୀ
ବଂଶୀ
ହେ ବାସୁଦେବ ,ହେ ବଂଶୀଧର
ଭାଙ୍ଗି ଦିଅ ତୁମ ବଂଶୀ
ଦେଖିବି ତେବେ ମୁଁ ରାଧିକା ର ପ୍ରେମ ହାତରେ ନଥିଲେ ବଂଶୀ ।
ଆସିଥିଲ ତୁମେ ଦୁଃଖ ହରିବାକୁ
କରିବାକୁ କଂସ ନାଶ
ବଂଶୀ ଧରି ତୁମେ ଭୁଲିଗଲ ସବୁ
ସୃଷ୍ଟି କଲ ପ୍ରେମ ବିଷ ।
ବଂଶୀ ରେ ବଂଶୀ ରେ ରଚିଗଲ ତୁମେ
କେତେ କେତେ ରାସ ଲୀଳା
ବଂଶୀ ପାଇଁ ସିନା ଦୋଷୀ ହେଲା ରାଧା
ଧନ୍ୟ ହେଲା କୃଷ୍ଣ କଳା ।
ସୁରେଶ ର ସୁରେ ,ବଇଁଶୀ ର ସ୍ୱରେ
ହୋଇଲା ରାଧା ଅଧିର
ନିନ୍ଦା ଦେଇ ତାକୁ କରିଦେଲ ଦୂର
ପୋଛିଲନି ତା ରୁଧିର ।
ପ୍ରେମ କରିବାକୁ ଇଚ୍ଛା ଯଦି ଏତେ
କାହିଁକି କଲ ଛଳନା
ମିଛେ ସିନା ତୁମେ ବଂଶୀ ବଜାଇଲ
ଗୋପୀ ହେଲେ ବାଟ ବଣା ।
ସରିଗଲା ତୁମ ବଂଶୀ ର ଯୁଗ
ଆସିଲା ପୁଷ୍ପ ବିମାନ
ଚକ୍ର ଧରି ତୁମେ ହେଲ ଚକ୍ରଧର
କରିଲ କଂସ ନିଧନ ।
କଥା ଦେଇ ତୁମେ ପାରିଲନି ରଖି
ଭୁଲିଗଲ ଗୋପପୁର
ଖାଲି କରିଦେଲ ଯଶୋଦା ର କୋଳ
ଭୁଲି ଲ ରାଧା ଅଧର ।
ଭୁଲିପାର ତୁମେ ଯମୁନା କୂଳକୁ
ଭୂଲିପାର ତୁମେ କଦମ୍ବ ମୂଳକୁ
ପାରିବନି ଭୁଲି ରାଧିକା ତୁମକୁ
ପାରିବନି ଭୁଲି କୁହୁକ ବଂଶୀ କୁ ।
ଦିବା ଆଲୋକ ରେ , ସାନ୍ଧ୍ୟ ତମଶା ରେ
ତୁମ ସ୍ମୃତି ବିଦ୍ୟମାନ
କେମିତି ଗୋପୀଏ ପାରିବେ ପାସୋରି
ତୁମର ସେ ବଂଶୀ ସ୍ୱନ ।
ବଂଶୀ ନୁହେଁ ସେତ ଥିଲା ସୋମ କୁଣ୍ଡ
ଝରୁଥିଲା ସୋମ ରସ
ଯେତେ ବାଜିଲେ ବି ଥକିବନି ରାଧା
ମେଣ୍ଟି ବନି ତାର ଶୋଷ ।
ତୁମ ଦୋଷ କିଛି ନାହିଁ ହେ ମୁରାରି
ସବୁରି ମୂଳେ ସେ ବଂଶୀ
ସେଇଥି ପାଇଁ ତ କହୁଛି ବୁଝାଇ
ଭାଙ୍ଗି ଦିଅ ତୁମ ବଂଶୀ ।
ସେ ବଂଶୀ ର ଆଉ ନାହିଁ ପ୍ରୟୋଜନ
ଏ ଯେ ମହାକଳୀ ଯୁଗ
ନାଶି ବାକୁ ପାପ ଥରେ ଧର ଚକ୍ର
କରି ତୁମ ବଂଶୀ ତ୍ୟାଗ ।
