ବନ୍ଧୁତା
ବନ୍ଧୁତା
ବନ୍ଧୁତା ପ୍ରେମ ସୌହାର୍ଦ୍ଦ୍ୟ ପୀରତିର କଥା
ବନ୍ଧୁତା ବିନା ଜୀବନେ ଆସେ ନୀରବତା
ବନ୍ଧୁତା ସରଗ ସୁଖ ଦେଇଥାଏ ସିନା
ଜୀବନଟା ଖାଁ ଖାଁ ଲାଗେ ବନ୍ଧୁ ବିନା।
ବନ୍ଧୁ ପରି ବନ୍ଧୁଟିଏ ସହଜେ ନ ମିଳେ
ବିପଦେ ଆପଦେ ବନ୍ଧୁ ପାଶେ ଆସି ମିଳେ
ବାଳ ବୃଦ୍ଧ ସଭିଙ୍କର ଲୋଡା ବନ୍ଧୁଟିଏ
ବନ୍ଧୁତାର ଆଦରେ ବନ୍ଧୁତ୍ୱ ଶୋଭା ପାଏ।
ବନ୍ଧୁତାରେ ଉଚ୍ଚ ନୀଚ ସାନ ବଡ ନାହିଁ
ଧନୀ ବା ଗରିବ ଭାବ ବନ୍ଧୁତାରେ ନାହିଁ
ବନ୍ଧୁଟିଏ ରହିଥାଏ ପାଶରେ ଯାହାର
କେଉଁ କଥାକୁ ତାହାର ନ ଥାଏ ଖାତର।
ବନ୍ଧୁତା କେ କଲେ କିଛି ପାଇବା ଆଶାରେ
ସେ ବନ୍ଧୁତା ନ ରହଇ ପ୍ରାପ୍ତି ହେବା ପରେ
ବିନା ବିଶ୍ବାସରେ କେହି ବନ୍ଧୁତା କରିଲେ
ସେ ବନ୍ଧୁତା ନ ରହଇ ବିଶ୍ବାସ ତୁଟିଲେ।
ଚିରସ୍ଥାୟୀ ବନ୍ଧୁତା ସୁଖ ଶାନ୍ତି ପ୍ରଦାତା
ବନ୍ଧୁତା ଛଳରେ ନର ହୁଅଇ ଦେବତା
ଚିର ସୁନ୍ଦର ବନ୍ଧୁତା ଲୋକେ ସୁବିଦିତ
ବନ୍ଧୁତା ସରଗ ସୁଖ କରାଏ ପ୍ରାପତ।
ବାଳମୁକୁନ୍ଦ ଗୋପରେ ବାଳ ଲୀଳା କଲେ
ଗୋପାଳ ବାଳକ ମେଳେ ବନ୍ଧୁତା ସ୍ଥାପିଲେ
କାଳିନ୍ଦୀ ହ୍ରଦରୁ ବିଷ କରିଲେ ହରଣ
ଅଘା ବକା ଶକଟାଙ୍କ ହରିଲେ ପରାଣ।
ବନ ପୋଡି କାଳେ ଗୋପ ବାଳଙ୍କୁ ରଖିଲେ
ବନ୍ଧୁତା ଛଳରେ ସଭିଙ୍କୁ ସେ ଉଦ୍ଧାରିଲେ
ଅଷ୍ଟ ସଖୀ ସଙ୍ଗେ ଘେନି କଲେ ଗୋପଲୀଳା
ସୁଦାମା ସଖା ବନ୍ଧୁତା ତାଙ୍କ ଗଳାମାଳା ।
ଦରବାରରୁ ଉଠିଲେ ସୁଦାମାଙ୍କୁ ଦେଖି
ବନ୍ଧୁତାର ନିଦର୍ଶନ କେ ପାରିବ ଲେଖି
ପଦ ସେବା କରି ସର୍ବ ରାଣୀଙ୍କ ସହିତ
ମନ ଜାଣି ଇନ୍ଦ୍ରସୁଖ ଦେଲେ ଅପ୍ରମିତ ।
ଦଶରଥ ଜଟାୟୁ ସୁଗ୍ରୀ ରାମ ବନ୍ଧୁତା
କୃଷ୍ଣା କୃଷ୍ଣଙ୍କ ବନ୍ଧୁତା ପୁରାଣ ଭଣେ ତା
କୃଷ୍ଣ ଗାନ୍ଧାରୀ ବନ୍ଧୁତା ନ ଜାଣଇ କିଏ
ମାତା ପିତା ବନ୍ଧୁ ସଖା ବିଦ୍ୟା ଧନ ସିଏ ।
କୃଷ୍ଣ ଅରଜୁନଙ୍କର ବନ୍ଧୁତା ବିଖ୍ୟାତ
ବନ୍ଧୁତା ଛଳେ ରଖିଲେ ବନ୍ଧୁର ମହତ
ପ୍ରେମ ବଶେ ନନ୍ଦିଘୋଷେ ସାରଥି ସାଜିଲେ
ଚକ୍ର ଆଢୁଆଳେ ସଦା ପାଣ୍ଡବେ ରଖିଲେ।
ଚନ୍ଦ୍ର କୁମୁଦ ପଦ୍ମିନୀ ପଦ୍ମବନ୍ଧୁଙ୍କର
ବନ୍ଧୁତା ଉପମା ହୁଏ ଜଗତେ ପ୍ରଚାର
ଚନ୍ଦ୍ର ଚକୋର ବନ୍ଧୁତା ଚକୁଆ ଚକୋଇ
ଏହାଙ୍କର ଉପମା କବି ହୃଦେ ବସଇ।
କଳିରେ ବନ୍ଧୁ ମହାନ୍ତି ଜଗନ୍ନାଥ ସଙ୍ଗେ
ବନ୍ଧୁତା କରିଲେ ଆସେ ଭକତ ପ୍ରସଙ୍ଗେ
ଭକତବାନ୍ଧବ ବନ୍ଧୁ ଦୁଃଖକୁ ହରିଲେ
ଜଗବନ୍ଧୁ ନାମ ତାଙ୍କ ସାର୍ଥକ କରିଲେ।
ମାତା ପିତା ଇଷ୍ଟ ଦେବ ବନ୍ଧୁ ପରିଜନ
ଗୁରୁଙ୍କ ସମାନ ବନ୍ଧୁ ମିଳିବା କଠିନ
ବନ୍ଧୁତାର ସମାଦର ସଦା ହେଉଥାଉ
ଶ୍ରୀଜଗନ୍ନାଥ ମୋ ବନ୍ଧୁ, ପଦେ ଚିତ୍ତ ଥାଉ।
ନାଥ ମୋର ଜଗନ୍ନାଥ ଗୁରୁ ଜଗଦ୍ ଗୁରୁ
ଆତ୍ମା ମୋର ସର୍ବ ଆତ୍ମା ପ୍ରେମ କଳ୍ପତରୁ
ଚିତ୍ତରେ ଚିନ୍ତାମଣିଙ୍କ ସ୍ମୃତି ସଦା ଥାଉ
ହେ ନାଥ ! ବନ୍ଧୁତା ସଦା ଅକ୍ଷୁର୍ଣ୍ଣ ମୋ ରହୁ ।