STORYMIRROR

SARATA KUMAR DAS

Tragedy

2  

SARATA KUMAR DAS

Tragedy

ବଳାତ୍କାରୀ

ବଳାତ୍କାରୀ

1 min
393

ଜାଣିଛ କି ତମେ ବଳାତ୍କାରୀର ସଂଜ୍ଞା

ଜାଣିଛ କି ତମେ ତା' ନଗ୍ନ ପରିଚୟ

ଆଉ ଜାଣିଛ କି ତା' ଜୀବନର ଇତିବୃତ୍ତ

ଅବା ଅନୁଭବ କରିଛ କି କିଏ କେବେ

ତା' ବିକୃତ ମାନସିକତାର ଅର୍ଦ୍ଧ ଦଗ୍ଧ ଶିହରଣ


ନା ଅଛି ବଳାତ୍କାରୀର ସଂଜ୍ଞା

ନା ଅଛି ତା'ର କିଛି ଆତ୍ମ ପରିଚୟ ବା ଠିକଣା ,

ନା ଅଛି ତା'ର କିଛି ଜାତି

ନା ଅଛି କିଛି ତା'ର ଧର୍ମ ବା ବିଚାର

କେବଳ ସେ ଜଣେ ବଳାତ୍କାରୀ ,

ଖାସକରି ସେ ଜଣେ ବଳାତ୍କାରୀ ଛଡା

ବୋଧହୁଏ ଆଉ କିଛି ନୁହେଁ ,

ନାରୀମାଂସ ଲୋଭୀ ,କାମୁକ,ପଳାୟନପନ୍ଥୀ

ଦୁର୍ବଳ ପୁଣି ଭୀରୁ ଓ କାପୁରୁଷ


ଆୟୁଷ ତା'ର ଗଡିଯାଏ ନର୍କକୁ

ପରିଚୟ ଲିଭି ଯାଏ ଅବେଳରେ

ଆତ୍ମଗୋପନ କରେ ସେ ନିଜ ନିର୍ଲଜ ପଣରେ

ନିଜ ଛାଇଠାରୂ ଅନେକ ଦୂରରେ,

ଜୀଇଁବାର ଅଭିନୟ କରିଚାଲେ ପ୍ରତିକ୍ଷଣେ

ଆମନ୍ତ୍ରଣ କରେ ମୃତ୍ୟୁକୁ ବାରମ୍ବାର 

ମାତ୍ର ଦୂରେଇ ଯାଏ ମୃତ୍ୟୁ ତା' ଠାରୁ 

ଘୃଣା , ଲାଜ ଓ ସଂକୋଚରେ


ଜଳ ଜଳ ଜଳିଉଠେ ତା'ର ଲୋଲୁପ

ଆଖି ଦୁଇଟି ରାତିର ଘନ ଅନ୍ଧକାରେ ,

ପିଶାଚର ଆତ୍ମା ପ୍ରବେଶ କରେ 

ତା' ଦେହ ,ମନ,ପ୍ରାଣ

ଆଉ ରକ୍ତର ପ୍ରତିଟି ବିନ୍ଦୁରେ ,

ଚଳ ଚଂଚଳ ହୋଇଉଠେ ସେ

ଶୁନଶାନ ନିରୋଳା ପ୍ରହରେ

ଶିକାର ଖୋଜେ ଜନଗହଳି ଭିତରେ

ଝାମ୍ପିପଡେ ଅତର୍କିତ ,କବ୍ଜା କରେ ତା' ଶକ୍ତ ପଂଝାରେ

ଝୁଣିଖାଇଯାଏ ରକ୍ତ ମାଂସ ତାଳୁରୁ ତଳିପା ଯାଏ


ଘୃଣା ଓ ଅପମାନକୁ ଫୁଲର ମାଳକରି

ଲମ୍ବେଇ ଦିଏ ନିଜ ଗଳାର ଚାରିପାଖେ,

ଆଉଟୁ ପାଉଟୁ ହୁଏ ବିଷାଦର ବିଷଚକ୍ରରେ

ଚିତ୍କାର କରେ ହସେ ପୁଣି କାନ୍ଦେ

କେତେବେଳେ ଜାଣତରେ ତ

ଆଉ କେତେବେଳେ ନିଜ ଅଜାଣତରେ


ମୁକ୍ତିର ବାଟ ଖୋଜେ ଅନ୍ଧାରର ଆବର୍ତ୍ତ ଭିତରେ

ଶାସ୍ତି ଚାହେଁ ଅନେକ ଥର,

ମାତ୍ର ହାରିଯାଏ ବାର୍ ବାର୍ ସେ,

ଏତେ ଶୀଘ୍ର ଆସେ ନାହିଁ ଶାସ୍ତି 

ଜଳୁଥାଏ ତିଳ ତିଳ କରି ଅନୁତାପର ନିଆଁରେ

ଭାସୁଥାଏ କୁଟାଖିଅ ଭଳି ଆଖିର ଲୁହରେ,

ଦୋହଲୁଥାଏ ଶୁଖିଲା ପତ୍ରଟିଏ ଭଳି ଅଶାନ୍ତ ଝଡରେ,

କେତେବେଳେ ବି ଶେଷ ହୋଇଯାଏ ସେ

କେହି କେବେ ଜାଣିବା ପୂର୍ବରୁ  

ଆଉ ଏକ ଘନ ଅନ୍ଧକାର ଆସିବା ପୂର୍ବରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy