ବିଷକନ୍ୟା
ବିଷକନ୍ୟା
ମୁଁ ଜାଣେ ତୁମେ ମୋତେ ଭୁଲି ସାରିଥିବ
ପାସୋରି ଯାଇଥିବ ମୋ ଦେହର ବାସ୍ନା
ମୋ ଲମ୍ବା ଲମ୍ବା କେଶ ଅବା ମୋ ନିଟୋଳ ନିକ୍ଷୁଣ ସ୍ତନ ଯୁଗଳ ।
ଭୁଲି ସାରିଥିବ ମୋ ନୃତ୍ୟଗୀତ ନାଟଶାଳା !
ମୁଁ କିନ୍ତୁ ଭୁଲିନି ତୁମକୁ
ତୁମେ ଦେଇଥିବା ପ୍ରଥମ ପାଉଣାକୁ
ଆଉ ପ୍ରଥମ ଧନ୍ଦାର ରାତିରେ ତୁମର ସମସ୍ତ ଦଂଶନକୁ
ଯେଉଁ ଦଂଶନରେ ଜର୍ଜରିତ ମୋ ସାରା ଦେହମନ ।
ମୋ କୁଆଁରୀ ମନର ପ୍ରଥମ ରାତିରେ
ଯେତେ ଅବାଧ୍ୟପଣ ସବୁ ଭାଙ୍ଗି ଯାଇଥିଲା -
ତୁମ ଆଲିଙ୍ଗନ ର ପ୍ରଥମ ଅଧ୍ୟାୟରେ ।
ସେଇଠୁ ଜନ୍ମ ବିଷକନ୍ୟାର ପ୍ରଥମ ଯୌବନ
ଆଦ୍ୟ ମଧ୍ୟ ପ୍ରାନ୍ତ ପର୍ବ ।
ମୁଁ ପାଲଟିଲି ବାରାଙ୍ଗନା ସେଇ ତୁମ ପହିଲି ସ୍ପର୍ଶରେ!
ଏବେ ଶୁଷ୍କ ହୁଏ ପଲ୍ଲବିତ ଧାରା
ମୁଁ ନାରୀରୁ ପୌଢ ପାଲଟେ
ଯୌବନର ଯେତେ ଉପକ୍ରମ ଅତୀତ ପାଲଟେ !
ହେଇ ଦେଖ ତ ତୁମେ ବି ବୁଢ଼ା ହେବା ଆରମ୍ଭ କଲଣି
ଆଖିରେ ମୋଟା ପାୱାର ଦିଆ ଲେନ୍ସ୍ ।
ତା'ହେଲେ ସେ ଅସୁମାରୀ ତାତି ?
କୁଆଡେ ଗଲା ସେ ଯୌବନରର ମଧୁଝରା ରାତି ?
ନୃତ୍ୟଶାଳାର ତାଧିନ୍ - ତାକିଡା ଧୁନ୍ !
ଆଉ ତୁମ ପରି ଈଶ୍ଵର ମାନେ ?
କିଏ ସେ ଭାଙ୍ଗିଦେଲା ଏ ମଧୁର ସ୍ଵପ୍ନ ବିଷକନ୍ୟାର ?
ଚିରାଚରିତ ବୋଲାଉଥିବା ସମୟ ନା ଈଶ୍ଵର ?
କିଏ ସେ ? ଏତେ ଆସ୍ପର୍ଦ୍ଧା କାହାର ?

