ବିଷାକ୍ତ ସହର
ବିଷାକ୍ତ ସହର
ଦୁନିଆର ପ୍ରତି କ୍ଷେତ୍ରେ ବିଦ୍ୟମାନ
କିଛି ମନ୍ଦ କିଛି ଭଲ,
ପାପ ଅବା ପୂଣ୍ୟ, ଅମୃତ ବା ବିଷ
ରହେ ହୋଇ ସମତୁଲ |
ମଣିଷ ସ୍ୱାଧୀନ ବାଛିନେବା ପାଇଁ
ନିଜ ଇଛାବଳେ ଏକ,
ପରିଣାମ ତାକୁ ଭୋଗିବାକୁ ହୁଏ
କର୍ମ ମତେ ଦୁଃଖ ସୁଖ |
ଯୁଗ ଯୁଗ ଧରି ମଣିଷ ଚାଲିଛି
ଉନ୍ନତିର ପଥେ ପଥେ,
ବିଜ୍ଞାନର ଦାନେ ବଞ୍ଚିବାର ଶୈଳୀ
ବଦଳି ଯାଇଛି କେତେ |
ଗଢି ଉଠିଛି ଯେ ସହର ବଜାର
ଶିଳ୍ପର ଉତଥାନ ହୁଏ,
ଅର୍ଥ ଲାଳସାରେ ଧାଉଁଛି ମଣିଷ
ମନୁଷ୍ୟତ୍ୱ ଭୁଲିଯାଏ |
ମନେ ମନେ ଭାବେ ଉନ୍ନତିର ପଥେ
ଆଗେଇଚାଲିଛି ସିଏ,
କିନ୍ତୁ ଅବନତି ମାନସିକ ସ୍ଥିତି
ଅମାନବିକତା ଗ୍ରହେ |
ହିଂସା, ଦ୍ୱେଷ ଆଉ ପରଶ୍ରୀକାତର
ଗୁଣ ସବୁ ଆଚରଣେ,
ପରିବେଶ ତାର ବିଷାକ୍ତ ବଳୟେ
ମରେ ଜନ ପ୍ରତିକ୍ଷଣେ |
ପୁଞ୍ଜି ପାଇଁ ଆଜି ପ୍ରତିଯୋଗିତାରେ
ସହର ହୁଏ ବିଷାକ୍ତ,
ନରହତ୍ୟା ଭଳି ଅପରାଧ ମାନ
ହୋଉଥାଏ ସଂଗଠିତ |
ଆମୋଦ ପାଇଁ ଯେ ନିର୍ମିତ ହୋଇଛି
ପଞ୍ଚତାରକା ହୋଟେଲ,
ରାତ୍ରିର ଅନ୍ଧାରେ ମିଳିଥାଏ ସେଠି
ସୁରା ସାକୀ ପ୍ରୀତି ଭଲ |
ନାରୀର କୋମଳ ମାଂସରେ ପ୍ରଲୁବ୍ଧ
ମଦ୍ୟପି ନଷ୍ଟ ପୁରୁଷ,
ପୁତି ଗନ୍ଧମୟ ଗଳିକନ୍ଧି ସବୁ
ସହର ଆଜି ବିଷାକ୍ତ |
ଅତୀତେ ସଂସ୍କୃତି ହଜି ସାରିଲାଣି
ପଲ୍ଲୀଠୁ ସହର ଯାଏ,
ସତେ କି ପୃଥିବୀ ପାଲଟି ଗଲାଣି
ବିଷାକ୍ତ ସହରଟିଏ |
