ବିଷ
ବିଷ
ସାଗର ସିନା ରତ୍ନ ଭଣ୍ଡାର ତହିଁରେ ଅଛି ବିଷ,
ସେ ବିଷ ପୁଣି ଜୀବ ଜଗତ କରି ପାରିବ ନାଶ |
ସାପ ଦାନ୍ତରେ ରହିଛି ବିଷ ପ୍ରାଣୀକୁ ମାରିପାରେ,
ମହୁମାଛିର ରହିଛି ବିଷ ବିଛାର ନାହୁଡ଼ରେ |
ବେଙ୍ଗ ପିଠିରେ ଝିଟିପିଟିର ଚମଡ଼ା ତଳେ ବିଷ,
ସଁ-ବାଳୁଆ ଲୋମର ପୁଣି ପୋକ ଲାଳରେ ବିଷ |
ଗଛ ପତର ଔଷଧ ସିନା ଆଉ କେତେକ ବିଷ,
ଫଳ ମୂଳରେ ଅମୃତ ପୁଣି ଆହୁରି କିଛି ବିଷ |
ରାସାୟନରେ ଫସଲ ହୁଏ ସେଥିରେ ଅଛି ବିଷ,
ମଦରେ ନିଶା ରହିଛି ସିନା ଶରୀର ପାଇଁ ବିଷ |
ସୂର୍ଯ୍ୟ କିରଣ ଦେହକୁ ହିତ ପୋଡ଼ିପାରେ ସେ ଚମ,
ଅତିବ ବାଇଗଣିଆ ରଶ୍ମି ବିଷ ପରି ତା' କାମ |
ପାଣି ପଵନ ଆମ ଜୀବନ ଦୂଷିତ ହେଲେ ସିଏ,
ସେଥିରୁ ବିଷ ହୁଏ ଉତ୍ପନ୍ନ ଆମ ଜୀବନ ନିଏ |
ମୂର୍ଖ ତୁଣ୍ଡରେ ରହିଛି ବିଷ କହେ ସେ କଟୁକଥା,
ବୋକାଙ୍କ ପାଇଁ ଶିକ୍ଷା ହିଁ ବିଷ, ଜ୍ଞାନ ତା'ପାଇଁ ପିତା |
ମିଛୁଆ ପାଇଁ ସତ୍ୟଟି ବିଷ ଚୋର ପାଇଁ ଆଲୋକ,
ଘୁଷୁରୀ ପାଇଁ କଦଳୀ ବିଷ ଲବଣ ମାରେ ଜୋକ |
ଆମ ଜିଭରେ ଅଛି ଅମୃତ ଲୁଚି ରହିଛି ବିଷ,
ଅପ୍ରିୟ ସତ୍ୟ କଟୁକଥାଟି ସଂପର୍କ କରେ ଧ୍ଵଂସ |
ଅସଭ୍ୟ ଭାଷା ରାଗରେ ରୁଷା ବିଷକୁ ଦିଏ ବୁଣି,
ବିଷକନ୍ୟାର ମଧୁର କଥା ବିପଦ ଆଣେ ଟାଣି |
କ୍ରୋଧର ବିଷ ଈର୍ଷାର ବିଷ ନିଜର କ୍ଷତିକରେ,
ଜାଣି ନ ଜାଣି ପିଇଲେ ବିଷ ଭଲ ମଣିଷ ମରେ |
000
