ବିଶ୍ବାସ ନୀଡ଼ରେ ଭରସା ପକ୍ଷୀ
ବିଶ୍ବାସ ନୀଡ଼ରେ ଭରସା ପକ୍ଷୀ
ସାରା ସଂସାରଟା ହୁଏ ଯଦି ଏକ ମହାଦ୍ରୁମ
ତାର ପ୍ରସାରିତ ପଲ୍ଲବିତ ସବୁଜ ଡାଳରେ
ବସା ବାନ୍ଧି ରହିଥାଏ ଏ ମଣିଷ ଜୀବନ ଧରି
ପରସ୍ପର ମଧ୍ୟରେ ଗଢ଼ିଥାଏ ମଧୁର ସଂପର୍କ
ଯା' ହୋଇଥାଏ ବିଶ୍ଵାସ ନୀଡ଼ରେ ଭରସା ପକ୍ଷୀ
ଶୂନ୍ୟରୁ ଆସି ମହାକାଶର ଶୂନ୍ୟତାରେ
ଉଡ଼ି ବୁଲୁଥାଏ ଜୀବନର ଅବଲମ୍ବନ ଖୋଜି
ତା' ସାଧ୍ୟ ସାଧନାରେ ଯେତେ ଉଚ୍ଚରେ ସେ ଉଡୁ
ଲକ୍ଷ୍ୟ ଯଦି ଥାଏ ତୀକ୍ଷ୍ଣ ଏକନିଷ୍ଠରେ ସ୍ଥିର
ପାଇଥାଏ ପଥ ପରିପୂର୍ଣ୍ଣ କରିବାକୁ ମନୋରଥ
ସଂଗ୍ରହ କରେ ଯା' ବସୁଧାର ପୁଣ୍ୟଭୂମିରୁ
ତାର ସହାୟତାରେ ବାନ୍ଧେ ବିଶ୍ଵାସର ନୀଡ଼
ସେ ନୀଡ଼ରେ ଜୀବନ ହୁଏ ଭରସାର ପକ୍ଷୀ
ବୁଦ୍ଧି ବିବେକ ବିଚାରରେ ଚାଲେ ଦେଖି
କରେ ବହୁତ ଆଶା ଆକାଂକ୍ଷା ଅଭିଳାଷ ରଖି
ଆସେ କେବେ କେବେ ପ୍ରାକୃତିକ ଝଡ଼ ଝଞ୍ଜା
ତାର ଦୁର୍ବିପାକରେ ହୁଏ ଅସ୍ଥିର ବ୍ୟତିବ୍ୟସ୍ତ
ନିଜକୁ ବୁଝାଇ ନିଜେ ରହେ ସୁରକ୍ଷାର ବଳୟେ
ସରଳ ସରସ ସୁନ୍ଦର ଜୀବନ କାଟିବାକୁ
ବିଶ୍ଵାସ ଭରସା ହୋଇଥାଏ ତାର ଭାବ ଭାଷା
ଯେମିତି ଦେଖାଏ ଆଚାର ବ୍ୟବହାର ଅନ୍ୟକୁ
ସେମିତି ପାଇଥାଏ ବିନିମୟରେ ତା ପ୍ରତିଦାନ
ଭଲ ପାଇଲେ ଭଲ ପାଇବା ପାଇ ଥାଏ
ଘୃଣା କଲେ ଘୃଣା...ଯା' ଦୁନିଆଁର ରୀତିନୀତି
ଗୋଟିଏ ସୂତ୍ରରେ ବନ୍ଧା ଜଗତ ଜୀବନ
ହୋଇ ନାହିଁ କିବା ହେବ ନାହିଁ ତା'ର ବ୍ୟତିକ୍ରମ
ଦୁଃଖ ସୁଖରେ ଚାଲିଥାଏ ଜୀବନକୁ ସଜାଡ଼ି
ଏମିତି ଭାବେ ଦିନେ ନୀଡ଼ ଛାଡ଼ି ପକ୍ଷୀ ଯାଏ ଉଡ଼ି।
