ବିଶ୍ବ ଶ୍ରମିକ ଦିବସ
ବିଶ୍ବ ଶ୍ରମିକ ଦିବସ
ଯେତେ ଅଟ୍ଟାଳିକା ମଠ ଓ ମନ୍ଦିର
ଜାତୀୟ କ୍ରୀଡ଼ା ଉଦ୍ୟାନ ,
ପୁରାତନ କୀର୍ତ୍ତି ଉପାସନା ସ୍ଥଳୀ
ଶ୍ରମିକଙ୍କ ଅବଦାନ ।
ଶାଗ ଓ ପଖାଳ ଖାଇ ଅଣ୍ଟା ଭିଡ଼ି
କଠିନ ଶ୍ରମ କରନ୍ତି ,
ସୁରମ୍ୟ ପ୍ରାସାଦେ ଧନବାନ୍ ସବୁ
ଭୋଗ ବିଳାସେ ରହନ୍ତି ।
ପେଟ ଚାଖଣ୍ଡକ ପୋଷିବା ପାଇଁକି
ପ୍ରତିଦିନ କାମ କରେ ,
କାମ ନ ପାଇଲେ ପରିବାର ସହ
ରହଇ ଉପବାସରେ ।
ମଇଳା କୋଚଟା ଲୁଗା ପିନ୍ଧି ସିଏ
ମୁଣ୍ଡ ଝାଳ ତୁଣ୍ଡେ ମାରି ,
କେତେ ଖଟିଲେ ବି ତା' ଦୁଃଖ ସରେନା
ମାଲିକେ କରେ ଗୁହାରୀ ।
ନିଜେ ମୁଲ ଲାଗେ ପିଲାଙ୍କୁ ଲଗାଏ
ପାରେନା ପାଠ ପଢ଼ାଇ,
ମାଲିକ ତାହାର ଗାଡ଼ି ଚଢ଼ି ଯାଏ
ନିଜେ ପାଦେ ଚାଲିଥାଇ ।
ରୋଗ ବ୍ୟାଧି ହେଲେ ଔଷଧ ପାଇଁକି
ନ ଥାଏ ଟଙ୍କା ପଇସା ,
ଅକାଳରେ ତା'ର ମରଣ ହୁଅଇ
ନାହିଁ କେ ସାହା ଭରସା ।
ନିଜେ ଦୁଃଖ ସହି ଅନ୍ୟକୁ ହସାଏ
ଶୋଚନା ନଥାଏ ତିଳେ ,
ଅନ୍ୟର ମନରେ ଖୁସି ଦେବା ପାଇଁ
ଦିବାନିଶି ସଦା ଭାଳେ ।
ପୃଥିବୀରେ ଅଛି ଯେତେକ ସୌନ୍ଦର୍ଯ୍ୟ
ଶ୍ରମିକ ଗଢ଼ିଛି ହାତେ,
କଳା ଶକ୍ତି ଦେଇ ଏଠାକୁ ଈଶ୍ବର
ପଠାଇଛନ୍ତି କି ସତେ ।
ତେଣୁ ଶ୍ରମିକଙ୍କୁ ଘୃଣା ନକରିବା
ଦେଖିବା ଭାଇ ସମାନ ,
ବିପଦ ବେଳରେ ସାହାଯ୍ୟ କରିଲେ
ଖୁସି ହେବେ ଭଗବାନ ।
