ବିଶ୍ଵାସର ବନ୍ଧ ଡେଇଁ
ବିଶ୍ଵାସର ବନ୍ଧ ଡେଇଁ
କଥା ଦେଇଥିଲ ଆସିବ ବୋଲି ତ
କାହିଁକି ଆସିଲ ନାହିଁ ,
ଆସିବାର ଯଦି ନ ଥିଲା ମନରେ
ମନା କଲ ନାହିଁ କାହିଁ ।
ବାରମ୍ବାର ଆଖି ଖୋଜେ ରହି ରହି
ହୃଦୟ ଭାଙ୍ଗେ ନିଃଶବ୍ଦେ ,
ସବୁଥର ପରି ନିରାଶେ ଫେରଇ
ଲେଉଟାଣି ପଦ ଶଦ୍ଦେ ।
ସ୍ନେହ ଶରଧାର ମିଛ ଛଳନାରେ
ଭାସି ଯାଇଥିଲି ମୁହିଁ ,
ସ୍ଥିତପ୍ରଜ୍ଞ ହୋଇ ଜାଣି ମୁଁ ପାରିଲି
ମୋ ପାଇଁ ତ କେହି ନାହିଁ ।
ମିଛ ମାୟା ଏଇ ସଂସାର ପଥରେ
ବ୍ୟଥା ଲାଗେ କୁହ କାହିଁ ,
ସ୍ବାର୍ଥ ସରିଗଲେ କିଏ ବା କାହିଁକି
କାହା କଥା ଭାବିବହିଁ ।
ଦରକାର ବେଳେ କଥା କଥାକାରେ
ମଧୁବୋଳା କଥା କହି ,
ଆପଣା ପଣରେ ଆପଣାର କରି
ମୋହିଥିଲ ସାଥୀ ହୋଇ ।
ସ୍ବାର୍ଥ ନ ପଟିଲେ ବାଟ ଭାଙ୍ଗି ଦେଇ
ଯେ ସାଥୀ ଚାଲି ଯାଆନ୍ତି ,
ସ୍ଵାର୍ଥର ସାରଥୀ ସେପରି ସାଥୀ ହିଁ
ହୃଦୟ ଭାଙ୍ଗି ପାରନ୍ତି ।
ଯାଅ ସାଥୀ ତୁମେ ଯେତେ ଦୂର ଇଚ୍ଛା
ଫେରିବାକୁ କହିବିନି ,
ବାରମ୍ବାର ତୁମ ଫେରନ୍ତି ରାସ୍ତାକୁ
ଆଉ କେବେ ଚାହିଁବିନି ।
ପୁରୁଣା ସ୍ମୃତିକୁ ମନେ ପକେଇଲେ
ଲାଭ କିଛି ମିଳିବନି ,
ଜାଣିଛି ଜୀବନେ ସ୍ଵାର୍ଥପର ସାଥୀ
ଆପଣାର ହୋଇବେନି ।
ଜୀବନ କାଳରେ କିଏ କେଉଁ ରୂପେ
ଆସି ଭେଟ ହୋଇଥାନ୍ତି ,
କିଛି ଅଭିନୟ ପଦ ଚିହ୍ନ ଛାଡ଼ି
ନିଜ ପଥେ ଚାଲିଯା'ନ୍ତି ।
ସ୍ୱାଧୀନ ତୁମେ ତ ତୁମରି ଜୀବନେ
ଯେତେ ଇଚ୍ଛା ଉଡ଼ିପାର,
ଆନ ଦୁଃଖ କିବା ଜାଣିବ ସାଥୀ ହେ !
ତୁମେ ପରା ସ୍ଵାର୍ଥପର ।
ଥକିଯିବ ଦିନେ ଭାବିବ ଜୀବନେ
ଅଲୋଡ଼ା ଥିଲି କି ମୁହିଁ ,
ସେ'ଦିନକୁ ଆଉ କିଛି ବି ନ ଥିବ
ସମ୍ପର୍କର ଦ୍ୱାହି ପାଇଁ ।
ଭାବିଲକି ତୁମେ ଝରା ଶେଫାଳି ମୁଁ
ଫୁଟିବି ରାତିକ ପାଇଁ ,
ଝରିଗଲା ପରେ ମୁହଁ ମୋଡ଼ି ଦେଇ
ଚାଲିଗଲ ପଥ ଡେଇଁ ।
ଅନ୍ତରଙ୍ଗତାକୁ ଆତ୍ମିୟତା ପଣେ
ସଜେଇ ଭାଙ୍ଗିଲ କାହିଁ ,
ଗଢ଼ିବା ପାଇଁକି ଗୋଟିଏ ଜୀବନ
ଭାଙ୍ଗିଦେଲ କାହା ପାଇଁ ।
କୈବଲ୍ୟ ପ୍ରାପ୍ତିର ମିଛ ସମ୍ମୋହନେ
ଅଭିନୟ କଲ କାହିଁ ,
ପୀୟୂଷ ଭଣ୍ଡାରେ କାଣିଚାଏ ବିଷ
ଯଥେଷ୍ଟ ମାରିବା ପାଇଁ ।
ରୂପ , ରଙ୍ଗ ଲେସି ଶବ୍ଦ ସମ୍ଭାଷଣେ
ନୂତନ ସାଥୀର ପାଇଁ ,
ଅନ୍ୱେଷଣ କର ସ୍ବପ୍ନିଳ ପଥରେ
ଦୁଃଖ ନାହିଁ ଦୁଃଖ ନାହିଁ ।
ସମ୍ଭବତଃ ଏହା ନିୟତିର ଖେଳ
ଏମିତି ଚାଲିବା ପାଇଁ ,
ତଥାପି କାହିଁକି ମନ ମାନେନାହିଁ
ଗବାକ୍ଷକୁ ଅଛି ଚାହିଁ ।
ସାଥୀକୁ ଦେଖିବା ପାଇଁ....
ସନ୍ଧ୍ୟା ଆସିଲା ନଇଁ....
ସମୟକୁ ଚାହିଁ ଚାହିଁ....
ତୁମେ ତ ଆସିଲ ନାହିଁ....
ପ୍ରତାରଣା କଲ କାହିଁ ....?
ବିଶ୍ଵାସର ବନ୍ଧ ଡେଇଁ.... ।