ବିଶ୍ଵ ପରିବେଶ ଦିବସ
ବିଶ୍ଵ ପରିବେଶ ଦିବସ
ଖରା ଧାସ ଆଜି ସହି ହେଉ ନାହିଁ
ସ୍ବପ୍ନ ହେଲା ଗଛ ଛାଇ
ଟାଙ୍ଗରା ଭୂଇଁରେ ଚାଲିଲା ବେଳକୁ
ମୁଣ୍ଡ ହୁଏ ଝାଇଁ ଝାଇଁ ।
ସୁଲୁସୁଲିଆ ପବନ ମିଳେ ନାହିଁ
ମିଳେନା ଗଛର ଛାଇ
ବାଟୋଇ ମାନଙ୍କ ନିଃଶୁକ୍ଲ ବିଶ୍ରାମ
ସ୍ଥଳ ଯେ ଥିଲା ବୋଲାଇ ।
ମହାଦ୍ରୁମ କାଟି ସଡକ କରିଲେ
କୋଠାବାଡି ବନେଇଲେ
ବିହଙ୍ଗ ମାନଙ୍କ ବାସସ୍ଥଳୀ ଥିଲା
ଭାବିଲେନି ଥରେ ଭଲେ ।
ବର ଓହଳରେ ଝୁଲିବାର ମଜା
ଲୁଚକାଳି, ଦୋଳି ଖେଳା
ଅଶ୍ବତ୍ଥ ବୃକ୍ଷର ମହିମା ଯେ ଜାଣେ
କାଟେନା ତାକୁ ସେ ଭଲା ।
ଆମ୍ବ ପଣସର ଫଳର ସମ୍ଭାର
ଗଛରେ ଦେଖିଛି ଯିଏ
ହାତ ତାର ରୋକିଯାଏ ଆପେ ଆପେ
କାଟିବାକୁ ଯଦି ଯାଏ ।
ସପେଟା, ଲିଚୁ ଓ କଦଳୀ, ପିଜୁଳି
ନାନା ଜାତି ଫଳ କୋଳି
ବରଷକ ଯାକ ଅଜାଡି ଦିଅନ୍ତି
ନ ଥାଏ ତ ତାଙ୍କ ଅଳି ।
ନାନା ଜାତି ଫୁଲ ବଗିଚାରେ ଥାଇ
ବଢାନ୍ତି ଗୃହର ଶୋଭା
ତାଙ୍କ ସାଙ୍ଗେ ଭାବ ରଖିଅଛି ଯିଏ
ସେ ଜାଣେ ତାହାର ମଜା ।
ପୂଜା ଅରଚନା, ସାଜସଜ୍ଜା ଅବା
ମଥା ମଣ୍ଡନର ପାଇଁ
ଅକୁଣ୍ଠ ଚିତ୍ତରେ ଦାନ କରିଯାନ୍ତି
ନହୋଇ କି ହାଇଁ ପାଇଁ ।
ପାଣି ଟୋପେ ପାଇଁ ଦାବୀ ନ କରନ୍ତି
ଯତ୍ନ ଦାବୀ ନକରନ୍ତି
ଯତ୍ନ ନେଲେ ବଢେ ତାଙ୍କ କଳେବର
ଅଯତ୍ନରେ ଶୁଖିଯାନ୍ତି ।
ଦେଇଥିଲେ ପାଇ କଥାଟିଏ ଅଛି
ଏମାନେ କିନ୍ତୁ ନିଆରା
ଦେଇ ଦେଇ ନିଜ ଜୀବନ ହାରନ୍ତି
ହୋଇ ଆମର ସାହାରା ।
ଆଜି ପରିବେଶ ଦିବସରେ ଆମେ
ଛୋଟ ପଣଟିଏ ନେବା
ଗଛ ଲଗାଇବା, ଯତ୍ନ ନେବା ଆଉ
ବନ୍ଧୁଟି ପରି ଭାବିବା ।