ବିଶ୍ୱାସ ଓ ଭରସା
ବିଶ୍ୱାସ ଓ ଭରସା
ବିଶ୍ୱାସ ଭରସା ଦୃଢ଼ ମନୋବଳ
ବିଷକୁ କରଇ ପାଣି
ଅଧ୍ୟାତ୍ମ ବିଜ୍ଞାନ ଈଶ୍ୱର ନିଷ୍ଠତା
ବିବେକ ଔଜଲ୍ୟ ମଣି ।
ଶୈଶବ କାଳରୁ ବାର୍ଦ୍ଧକ୍ୟ ଯାବତ
କରିଲେ ଅଭ୍ୟାସ ଯତ୍ନ
ସ୍ପର୍ଶ କଲେ ମୃତ୍ୟୁ କେଶ ଅଗ୍ର ଯାଏ
ଆହର ଅମୂଲ୍ୟ ରତ୍ନ ।
ମାଆର କୋଳରେ ଶୁଣଇ ଶିଶୁଟି
ମିଠା ମିଠା ଗପ ଗୀତ
ଦେଖି ଶିଖି ଗଢେ ଘର ପରିବାରୁ
ସୁବିଶ୍ୱାସ ସ୍ୱଚରିତ୍ର ।
କିଶୋର ବୟସେ ଯାଏ ବିଦ୍ୟାଳୟ
ଅର୍ଜନ କରଇ ଶିକ୍ଷା
ଆସେ ସାଙ୍ଗ ସାଥି ଶିକ୍ଷକ ସ°ସ୍ପର୍ଶେ
ବୁଝଇ ସାମାଜିକତା ।
ଆଦ୍ୟ ଯଉବନେ ବହଇ ମଳୟ
ଆତ୍ମ ଜ୍ୟୋତି ପ୍ରଜ୍ଜ୍ୱଳନ
ବିକଶେ ବିଶ୍ୱାସ ସୁନ୍ଦର ପ୍ରତିଭା
ଉଦ୍ବେଳେ ପରିବର୍ତ୍ତନ ।
ବିଜ୍ଞ ପ୍ରାଜ୍ଞ ଚିତ୍ତେ କରେ ବିଶ୍ଳେଷଣ
ହୁଏ ଯେବେ ବୟ ପ୍ରାପ୍ତ
କର୍ମ ସ୍ୱକର୍ତ୍ତବ୍ୟେ ଢାଳି ମନପ୍ରାଣ
ନିଷ୍ଠା କରେ ଦୃଢୀଭୂତ ।
ପ୍ରୈ।ଢ଼ କାଳେ ନର ଜୀବନ ରହସ୍ୟ
ବୁଝେ ସରହଦ ସୀମା
ଭରସା ବିଶ୍ୱାସେ ସ୍ଥିତି ପ୍ରତିକୂଳେ
ଲଢେ କରେ ବୁଝାମଣା ।
ଭୀରୁ କାପୁରୁଷ ବିଶ୍ୱାସ ଦୁର୍ବଳ
ଅଟେ ବଡ଼ ସ୍ୱାର୍ଥପର
ଜୀବନ ଯୁଦ୍ଧରେ ହାରେ ବାରବାର
ନୁହଁଇ ଭରସା ପାତ୍ର ।
ଆସଇ ଜୀବନେ ଶେଷେ ନିର୍ବିଶେଷେ
ବିଶ୍ୱାସ ପ୍ରଗାଢ଼ ମତି
ବୁଝଇ ମଣିଷ କେତେ ମୂଲ୍ୟବାନ
ପ୍ରେମ ସେବା ଭକ୍ତି ଶକ୍ତି ।
କରଇ ସମୀକ୍ଷା ଆତ୍ମ ମୂଲ୍ୟାଙ୍କନ
ବିଫଳ କେତେ ସଫଳ
ସନ୍ତୋଷ ଦାୟକ ବିଶ୍ୱାସ ଭରସା
ଜ୍ଞାନ ଦୃଢ଼ ମନୋବଳ ।