ବିରହିଣୀ
ବିରହିଣୀ
ପ୍ରିୟତମ କେବେ ଶୁଣିଲନି ଥରେ
ମରମ ବୀଣାର କରୁଣ ସ୍ୱର
ପ୍ରିୟତମ ତୁମେ ବୁଝିଲନି ଥରେ
ହୃଦୟର ବ୍ୟଥା ହାହାକାର
ବାହାରେ ହସେ ମୁଁ ଅନ୍ତରେ କାନ୍ଦେ
କରିବାକୁ ହୁଏ ଅଭିନୟ
ନିଜ ଦୁଃଖ ଭାର ନିଜକୁ ଅଧିକ
କିଏ ବା ଅନ୍ୟର ବୁଝିବ କହ
ଅନ୍ତର ତଳେ କେତେ ଯେ ଯାତନା
ଯନ୍ତ୍ରଣା ହୋଇଛି ପୁଞ୍ଜିଭୂତ
କହି ବସିଲେ ଵି ଅସରନ୍ତି ସେତ
ବେଦନା ବିଧୂର ପ୍ରାଣ ଟି ତ
ତୁମ ସ୍ନେହ ବିନା ଛଟ ପଟ ହୁଏ
କିବା ଦିବା କିବା ଶର୍ବରୀ
ତୁମରି ଫେରନ୍ତା ପଥକୁ ଚାହିଁଛି
ଏ ପାରି ଚାତକ ଚାହିଁଲା ପରି
ମରମର କଥା କହିଦେବି ହେଲେ
କହିପାରେ ନାହିଁ ଥିଲେ ପାଖରେ
ଦୂରେ ଗଲେ ଖାଲି ମନ ଖୋଜୁଥାଏ
ଏକା ଏକା ଝୁରି ଦିନ ତ ସରେ
ତୁମେ କି ଜାଣିବ ତୁମରି ପରଶେ
ନିଃଶେଷ ହୁଏ ଅୟୁତ ଯୁଗର ଦୁଃଖ ତ
ଗୋଟିଏ ଚୁମାରେ କୋଟିଏ ଯୁଗର
ଯନ୍ତ୍ରଣା ହୁଏ ଦୂରୀଭୂତ
ଇଛା ହୁଏ ଯଦି ପାଖରେ ପାଆନ୍ତି
ଫେଡ଼ି ଦିଅନ୍ତି ମୋ କାହାଣୀ ପେଡି
ଆହା ପଦଟିଏ ପାଇଗଲେ ସତେ
ଭାବନ୍ତି ପାଇଲି ସ୍ୱର୍ଗକୁ ସିଡ଼ି
ସୁଖର ସମ୍ପଦ ଲୋଡ଼ା ନାହିଁ ମୋର
ହୀରା ନୀଳା ଅବା ମାଣିକ ମୋତି
ହରି ନାମ ଗାଇ ତୁମ କୋଳେ ଶୋଇ
ଶେଷ ଜୀବନ ମୋ ଯାଉ ହେ ବିତି ।