STORYMIRROR

Jagannath Barik

Romance

3  

Jagannath Barik

Romance

ବିରହ ଅନୁଚିନ୍ତା

ବିରହ ଅନୁଚିନ୍ତା

1 min
375


ଚାରୁ ଚନ୍ଦ୍ରାନନା ନବୀନ ନବୀନା ଛାଡ଼ି ଆସିଛି ମୁଁ ଘରେ 

ପ୍ରବାସ ଜୀବନ ଦାରୁଣ କଷଣ ବିରହ ବେଦନା ଝରେ 

    ଅସରା ଅସରା ଲୁହ 

    ବାର ବାର ଉଠେ କୋହ 

ଶୟନେ ସ୍ୱପନେ ଧ୍ୟାନେ ଜାଗରଣେ ଦିଶିଯାଏ ତାର ମୁହଁ |(1)


ସୁନା ତନୁଲତା ଝାଉଁଳି ଯିବଣି ବିରହ ଅନଳ ଝାସେ 

କି କରୁଥିବ ମୋ ପ୍ରାଣ ପ୍ରିୟତମା ଝୁରୁଥିବ ବସି ବାସେ 

     ଛାଡୁଥିବ ଦୀର୍ଘଶ୍ୱାସ 

     ସାଥି ବିନା ଗୁରୁ ପ୍ରାସ 

ମନ ଆକାଶର ବିଶାଳ ଶୂନ୍ୟତା କରିଥିବ ତାକୁ ଗ୍ରାସ |(2)


ଗୋଟିଏ ମୁହୂର୍ତ୍ତ ନିଃସଙ୍ଗ ରଜନୀ ଲାଗୁଥିବ ଯୁଗ ସମ 

ହୃଦ ତାପ ନାଶ କରିପାରିବନି ଲେପିଲେ ଶୀତ ଚନ୍ଦନ  

     ମାରୁଥିବ ମାର ବାଣ 

     ବିରହ ବିଧୁରା ପ୍ରାଣ 

ତଳ୍ପ ଉପାଧାନ କରି ଆଲିଙ୍ଗନ ଚୁମ୍ବୁଥିବ ଘନ ଘନ |(3)


ଦିବା ଅବସାନେ ରଜନୀ ଆଗମେ ଘୋଟୁଥିବ କାମ ଜ୍ୱର 

ନାହିଁ ପ୍ରତିକାର ସାଥି ବିନା ରାତି କାଟିବା ବଡ଼ ଦୁଷ୍କର 

     ଧିକ ଆମ ମନ୍ଦ ଭାଗ୍ୟ 

     ଦମ୍ପତି ସମ୍ପତ୍ତି ଭୋଗ 

ପରମ ପୀୟୂଷ ପରିରମ୍ଭ ରସ ସେବନୁ ହେଲୁ ବିୟୋଗ |(4)


ଏହି ଦୁର୍ବଳତା ଘେନିକି ବନିତା ହୋଇଯିବ ଆନମନା 

ପରକୀୟା ପ୍ରୀତି ଆଦରି ନେବ କି ଅଛି ବଡ଼ ସମ୍ଭାବନା 

     କରିବିନି ମନ୍ଦ ଚିନ୍ତା 

     ସତୀ ସ୍ୱାଧୀ ପତିବ୍ରତା 

ବାନ୍ଧିଛି ବିଶ୍ୱାସ ନଟଳିବ ଲେଶ ପ୍ରିୟତମା ମଧୁମିତା |(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance