ବିରାଡ଼ି ବୈଷ୍ଣବ
ବିରାଡ଼ି ବୈଷ୍ଣବ
ପିଲାବେଳ କାହାଣୀଟି ପଡୁଅଛି ମନେ
ଶୁଣାଇ ଦେଉଛି ଶୁଣୁଥିବ ସଭା ଜନେ l
ପର୍ବତ ଗୋଟିଏ ଥିଲା ଭାଗୀରଥି ତଟ
ଗୁଧ୍ରଙ୍କ ନିବାସ ଯେଣୁ, ନାମ ଗୁଧ୍ରକୁଟ l
ତହିଁ ଥିଲା ବଟ ଏକ ମେଲି ପତ୍ର ଡାଳ
ରହୁଥିଲେ ବସାବାନ୍ଧି ଏକ ଶ୍ୟେନଦଳ l
ବୃଦ୍ଧ ଏକ ଶ୍ୟେନ ଥିଲା ନାମ ଜରଦ୍ଗବ
ଜଗିଥିଲା ଗୁଧ୍ରଙ୍କର ବସା ସେହି ଠାବ l
ପ୍ରତିଦିନ ଶ୍ୟେନମାନେ ଚରିବୁଲି ଯାନ୍ତି
ଫେରିଆସି ବୃଦ୍ଧଟିକୁ ଭୋଜନ ଦିଅନ୍ତି l
ସୁଖେ କଟୁଥାଇ ଦିନ କିଛି ଦିନ ପରେ
ପହଞ୍ଚିଲାଆସି ଏକ ମଞ୍ଜାରି ସେଠାରେ l
ନାମ ତା'ର ଦୀର୍ଘକର୍ଣ୍ଣ ଲମ୍ବା ଲମ୍ବା କାନ
ଗୋଜିଆଦାନ୍ତ ତାହାର ଅତୀବ ତୀକ୍ଷଣ l
ଜାଣିଲା ବସାରେ ଛନ୍ତି ଅନେକ ଶାବକ
ବିଚାରିଲା ମନେ ଖାଇବି ମୁଁ ଏକ ଏକ l
କିନ୍ତୁ ଯେବେ ଜରଦ୍ଗବ ଗୁଧ୍ରକୁ ଦେଖିଲା
ଯମ ପ୍ରାୟ ମଣି ତା ହାଲୁକ ଶୁଖିଗଲା l
ମନେ ଚିନ୍ତି ଏ ଗୁଧ୍ରକୁ ଦେବି ମୁଁ ପଟାଇ
ଏଠାରେ ରହିବି ପକ୍ଷୀଶାବକଙ୍କୁ ଖାଇ l
ଗୁଧ୍ରପାଶେ କଲାଯାଇ ନମସ୍ତେ ନମସ୍ତେ
ତୁମ ପରି ଧାର୍ମିକ କେ ନାହିଁ ତ୍ରିଜଗତେ l
ତୁମ୍ଭ ଶରଣରେ ତେଣୁ ଆସି ଅଛି ମୁହିଁ
ଶାନ୍ତ ଶିଷ୍ଟ ମୁହିଁ ଏକ ସୁଧାର ବିଲେଇ l
ବିଲେଇର ନାମ ଶୁଣି ତହୁଁ ପକ୍ଷୀ ରାଜ
କହଇ ବିରାଡ଼ି ତୋର ପ୍ରାଣଗଲା ଆଜ l
ବିରାଡ଼ି ତହୁଁ କହଇ ବେନି ହାତ ଯୋଡ଼ି
ନମଣ ହେ ପ୍ରଭୁ ମୁହିଁ ସାମାନ୍ୟ ବିରାଡ଼ି l
ବୈଷ୍ଣବ ମୁଁ କରେଯାଇ ନିତି ଗଙ୍ଗାସ୍ନାନ
ଏକାଦଶୀ ପାଳି କରେ ବ୍ରତ ଚାନ୍ଦ୍ରାୟଣ l
ଏମନ୍ତେ ମାର୍ଜାର ଗୁଧ୍ରେ ବିଶ୍ୱାସ ଜନ୍ମାଇ
ରହିଲା ବଟକ୍ରୋଟରେ ମହାନନ୍ଦେ ଭାଇ l
ସରଳ ବିଶ୍ୱାସୀ ସେହି ଗୁଧ୍ର ଥିଲା ଅନ୍ଧ
ବୁଝି ନପାରିଲା ବିଲାଇର ମାୟା ଛନ୍ଦ l
ସୁଯୋଗ ଉଣ୍ଡି ବିଲାଇ ଗଛପରେ ଉଠି
ଆନନ୍ଦରେ ଖାଏ ଗୁଧ୍ର ଛୁଆ ଚିପି ତଣ୍ଟି l
ଜରଦ୍ଗବ ବସା ମଧ୍ୟେ ଫିଙ୍ଗେ ସବୁ ହାଡ଼
କ୍ରମେ ତହିଁ ଜମି ଗଲା ହାଡ଼ କୁଢ଼ କୁଢ଼ l
ଛୁଆ କିଏ ଖାଇ ଯାଏ ଆସି ନିତି ନିତି
ଗୁଧ୍ର ବୃଦ୍ଧପାଶେ ଯାଇ କରିଲେ ମିନତି l
ଦେଖନ୍ତି ବୃଦ୍ଧ ବସାରେ ହାଡ଼ କୁଢ଼ କୁଢ଼
ଧାରଣା ତାଙ୍କର ହୋଇଗଲା ତହୁଁ ଦୃଢ଼ ।
ଏ ବୃଦ୍ଧ ଖାଉଛି ନିଶ୍ଚେ, ଶାବକଙ୍କୁ ଧରି
ତହୁଁ ଜରଦ୍ଗବେ ମିଳି ପକାଇଲେ ମାରି l
ଅଜ୍ଞାତ କୁଳଶୀଳକୁ ଆଶ୍ରୟ ନ ଦେବ
ଆଶ୍ରୟର ଫଳ ଜରଦ୍ଗବ ପ୍ରାୟ ହେବ l
ହିତୋପଦେଶ କାହାଣୀ ରଖିଥିବ ଚିନ୍ତି
ଫୁଲଫୁଟିଲା କେତକୀ ଗପହେଲା ଇତି l
