ବିଫଳ
ବିଫଳ
ପ୍ରତି ଜୀବନରେ ସଫଳତା ଅଛି
ଅଛି ପୁଣି ବିଫଳତା
ସେଇ ବିଫଳତା ଜୀବନ ସଂଘର୍ଷେ
କେବେ କରେ ବି ବିଜେତା ।
ବିଫଳ ନଥିଲେ ଜୀବନେ ସଫଳ
ସ୍ବାଦ ବାରି ହୁଏନାହିଁ
ବିଫଳରେ ଲୁହ ସଫଳରେ ଖୁସି
ଅନୁଭବେ ଆଣେ ସେହି ।
ବିଫଳ ମନରେ ଯନ୍ତ୍ରଣା ଭରଇ
ଆଖିରେ ଅମାପ ଲୁହ
ଦେଖେଇ ହୁଏନା ସେ ଦାରୁଣ କଷ୍ଟ
ଛାତିରେ ଜମାଟେ କୋହ ।
ସେହି କୋହକୁ ଯେ ଶେଷ ନ କରିଲେ
ମନର ଯନ୍ତ୍ରଣା ବଢେ
ସେଇ ତ ଅତୀତ ଅତୀତ ବିଫଳ
ଭିତରେ ଭିତରେ ସଢ଼େ ।
ଆଖିର ଆଗରେ ଭାସି ଆସୁଥାଏ
ବିଫଳ ଭରା କାହାଣୀ
ସେଇ ତ କାହାଣୀ ବିନା ଶ୍ରାବଣରେ
ଆଖିରେ ଝରାଏ ପାଣି ।
ଯେତେ ଚେଷ୍ଟା କଲେ ଭୁଲି ହୁଏନାହିଁ
ସେଇ ତ ବିଫଳ ଦୃଶ୍ୟ
ହେଲେ ସେ ବିଫଳ ଏମିତି ତ ନୁହେଁ
ଦିନେ ନ ହୋଇବ ଶେଷ ।
ପ୍ରଥମ ବିଫଳ ଭୁଲି ହୁଏନାହିଁ
ରକତରେ ଲେଖାଥାଏ
ସେଇ ବିଫଳଟା ସଫଳର ମାର୍ଗ
ପରିଷ୍କାର କରିଦିଏ ।
ମନରେ ସାହସ ବାନ୍ଧି ଦିଏ ସିଏ
ଆଶାର ଆଲୋକ ବୁଣି
ଯେମିତି ଶିଶୁଟି ବାରମ୍ବାର ପଡି
ଚାଲି ଶିଖିଥାଏ ପୁଣି ।
ବୁଢିଆଣୀ ବାରମ୍ବାର ଜାଲ କରେ
ଯେତେଥର ଛିଣ୍ଡୁ ଥାଏ
ଶେଷରେ ନିଜର ଲକ୍ଷ୍ୟ ସାଧନାରେ
ସିଏ ତ ପହଞ୍ଚି ଯାଏ ।
ଏମିତି ବିଫଳ ପଛରେ ସଫଳ
ଆସି ଯାଏ ନିଶ୍ଚେ ଦିନେ
ସେଇ ବିଫଳରେ ହାରିଗଲି ଭାବି
ଭାବ ନାହିଁ କେବେ ମନେ ।
ଏମିତି ଅନେକ ବିଫଳ ଘଟଣା
ମନକୁ ଦୁର୍ବଳ କରେ
ସେତିକିରେ ଭାଙ୍ଗି ପଡିଥାଏ ଯିଏ
ସିଏ ହିଁ ତ ନିଶ୍ଚେ ହାରେ ।
ସେଇ କଥା ନେଇ ମନେ ଗୁଣୀ ହେଇ
ନିଜକୁ ସଜା ଯେ ଦିଏ
ସେଇଠି ହାରେ ସେ ଉଠିପାରେ ନାହିଁ
କାନ୍ଦି କାନ୍ଦି ଦିନ ଯାଏ ।
ଏମିତି କେହି ତ କହି ପାରିବେନି
ବିଫଳ ହେଇନି ଯିଏ
ସେଇ ବିଫଳଟି ସଫଳ ହୁଅଇ
ପୂର୍ଣ୍ଣଛେଦ ଯିଏ ଦିଏ ।
ସେଇ ବିଫଳକୁ ସେଇ ଠାରେ ଛାଡି
ଆଗକୁ ଯେ ମାଡିଯାଏ
ତା' ଭାଗ୍ୟ ଆକାଶ ଉଜ୍ଜଳ ହୁଅଇ
ବିଫଳ ତା' ଲୋପ ପାଏ ।
ଯଦି ନିଜକୁ ସେ ଦୁର୍ବଳ ଭାବିଣ
ସେଇଠି ଅଟକି ଥାଏ
ସେଇ ବିଫଳ ତା' କପାଳରେ ଚିର
ଲେଖା ହେଇ ରହିଯାଏ ।
ସେଇ ବିଫଳକୁ ସଫଳ କରିବା
ତା' ପରେ କରେ ନିର୍ଭର
ବିଫଳ ସଫଳ ଦୁଇଟି ଜୀବନେ
ରହିଥାଏ ନିରନ୍ତର ।
ବିଫଳକୁ ଯିଏ ବିଫଳ ଭାବିଣ
ସେଇଠି ଅଟକି ଯାଏ
ଜୀବନେ ଉନ୍ନତି ନା କରିପାରେ ସେ
ସଫଳ ନା ପାଇଥାଏ ।